ପୃଷ୍ଠା:Prachina Odia Kabita.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବଳରାମ ଦାସ

ଦୀନ ବାନ୍ଧବ ହେ, ମୋ ଦୁଃଖ ନ ଗଲା ଯେ
ତୁମ୍ଭେ ଦୀନବନ୍ଧୁ ମୋତେ ପାଶୋରିଲେ ମୋ ବନ୍ଧୁ ହୋଇବ କିଏ ।
ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ମଥାରେ ଦେଇ
ତୁଳସୀ ଚଉଁରା ମୂଳେ ଅନାଇଲେ ନୀଳଚକ୍ର ଦିଶୁଥାଇ ।
ଚୂଳର ଉପରେ ସେବତୀର ଗଭା ଦେଖିଲେ ମାଡ଼ଇ ଭୟେ
ଦୀନବନ୍ଧୁ ଠାରେ ବିପତ୍ତି ନ ଥାଇ ଯେଣେ ଯାଉଥିଲେ ଜୟେ ।
ଦୀନବନ୍ଧୁ ବୋଲି ଯାହାକୁ ବୋଲନ୍ତି ସେହି ଯେ ପରମ ଯୋଗୀ
ଯୋଗୀମାନଙ୍କର ଆତଙ୍ଗ ନାଶନ ଦୁଃଖୀମାନଙ୍କର ଭୋଗୀ ।
ଆଦି ଅନାଦିରେ ବନ୍ଧନ ପଡ଼ିଛି ମାୟାମୋହ ଲାଗି ଧନ୍ଦ
ଶୂନ୍ୟ ପୁରୁଷ ଯେ ଶୂନ୍ୟରେ ଯାଉଛି ପଞ୍ଜରୀ ପଡ଼ିବ ବନ୍ଦ | |୧୦।
ଏ ଭବ ସାଗରୁ ତରିବା ନିମନ୍ତେ ପଥର ବାନ୍ଧିଛ ଭେଳା
ତୁମେ ନ ରଖିଲେ ଭାସି ମୁଁ ଯାଉଛି ରଖ ରଖ ଚକାଡୋଳା ।
ଭଗତ ଭାବରୁ ପ୍ରସନ୍ନ ହେବାରୁ ଭାବ ବିନୋଦିଆ ଯେଣୁ
ବଳରାମ ଦାସ ଅନ୍ନ ନ ମାଗଇ ମାଗଇ ଚରଣ ରେଣୁ ।