ପୃଷ୍ଠା:Prachina Odia Kabita.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଖି ଚାହାଁ ଗୋ
ବଳରାମ ଦାସ

ସଖି ଚାହଁ। ଗୋ, ହସ ହସ ହେଉଛନ୍ତି ନାହା ଗୋ,
ବେଦ ଲଗନେ କହିଛି ଯାହା ଗୋ |
ନିଘୋଡ଼ କରି ଭୂଜ ଧରି ନେଉଛନ୍ତି
ଏହାଙ୍କର କେହି ନାହାନ୍ତି କି ସାହା ଗୋ ।

ସଖି ଗୋ ଜାଣିଲା ମୋ ପ୍ରଭୁ ଜଗତ ଖାତେକ
ତାଙ୍କୁ ଲୋକେ ନେଉଛନ୍ତି ଧରି,
ପାହିବାକୁ ରାତ୍ର ପହଡେକ ଥାଉଁ
ସେ ହରିଲେ କାହାର ନାରୀ ଗୋ ।

ସଖି ଗୋ ବିଭା ହୋଇଲାର ପ୍ରାୟେକ ଦିଶନ୍ତି
ଅଣ୍ଟାରେ ପାଟର ଡ଼ୋର ।୧୦।
ଚକ୍ର ଆକାରରେ ସେବକ ବେଢ଼ିଛନ୍ତି
ଆବୋରି ଡାକି ଛାମୁର ।

ସଖି ଗୋ ପୂର୍ବେ ରାଜଜେମା ଚୋରାଇ ଆଣିଲେ
ତାକି ଚର ଭେଟାଇଲେ ଆଣି
ବଳରାମ ଦାସ ତା ଦେଖି ଉଷତ
ଧରିନେଲେଟି ତିନି ପରାଣୀ ଗୋ |