ପୃଷ୍ଠା:Prachina Odia Kabita.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାନ୍ତ କୋଇଲି
ବଳରାମ ଦାସ

କୋଇଲି, କାନ୍ତ ମୋର ଗଲେ ମୃଗ ମାରି,
କପଟେ ରାବଣ ମୋତେ ନେଉଅଛି ଧରି ଲୋ, କୋଇଲି ।
କୋଇଲି, ଖଳ ବୋଲି ଜାଣି ନ ପାରିଲି,
ଖଳ ଯେ କନକ ମୃଗ ଦେଖି ଲୋଭ କଲି ଲୋ, କୋଇଲି ।
କୋଇଲି, ଗରୁ ଶ୍ରଦ୍ଧା ବଳିଲା ମୋହର,
ଗେଲେ ମୁଁ ବୋଇଲି ରାମ ଏ କୁରଙ୍ଗୀ ମାର ଲୋ, କୋଇଲି ।
କୋଇଲି, ଘଟଣା ଯା' କରିଛି ବିଧାତା,
ଘୋର ବନେ ମୃଗ ମାରି ଗଲେ ମୋ କରତା ଲୋ, କୋଇଲି ।
କୋଇଲି, ଲକ୍ଷଣକୁ ଜଗାଇ ଦୁଆର,
ନାରାଚରେ ମୃଗ ବିନ୍ଧିଗଲେ ରଘୁବୀର ଲୋ, କୋଇଲି । ୧୦ ।
କୋଇଲି, ଚାପଧରୀ ଗଲେ ରଘୁନାଥ,
ଚାପେ ଶର ସନ୍ଧି ମୃଗ ପ୍ରାଣ କଲେ ହତ ଲୋ, କୋଇଲି ।
କୋଇଲି, ଛାଡ଼ିବାର ବେଳେ ମୃଗ ପ୍ରାଣ,
ଛଦ୍ମରେ ଡାକିଲା ମୋତେ ରଖ ହେ ଲକ୍ଷ୍ମଣ ଲୋ, କୋଇଲି ।
କୋଇଲି, ଜାଣି ନ ପାରିଲି ଛନ୍ଦ ମୁହିଁ,
ଯାଅ ବୋଲି ଲକ୍ଷ୍ମଣକୁ ଦେଲି ପଠିଆଇ ଲୋ, କୋଇଲି ।
କୋଇଲି, ଝଟତିରେ ଯାଆନ୍ତେ ଲକ୍ଷ୍ମଣ,
ଝାଡ଼ର ଭିତରେ ଲୁଚି ଥିଲାଟି ରାବଣ ଲୋ, କୋଇଲି ।
କୋଇଲି, ନିର୍ମଳ ତପସ୍ୱୀ ରୂପ ଧରି,
ନିର୍ଭରେ ବସିଲା ଆସି ଦୁଆର ଆବୋରି ଲୋ, କୋଇଲି । ୨୦
କୋଇଲି, ଟେକିଣ କହଇ ମାୟା ଯତି,
ଟେକି ମୋତେ ଫଳ ଭିକ୍ଷା ଦିଅ ମହାସତୀ ଲୋ, କୋଇଲି ।
କୋଇଲି, ଠିକ କଥା ଜାଣି ନ ପାରିଲି,
ଠକ ଯତି କରେ ପୁଣି ଫଳ ଭିକ୍ଷା ଦେଲି ଲୋ, କୋଇଲି ।
କୋଇଲି, ଡିଙ୍ଗର ରାବଣ ବଡ଼ ଦୁଷ୍ଟ,
ଡାହାଣ ଭୂଜକୁ ମୋର ଧରିଲା ପାପିଷ୍ଠ ଲୋ, କୋଇଲି ।