ପୃଷ୍ଠା:Prachina Odia Kabita.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୦୧
 

କୋଇଲି, ଢଳିଣ ଚାହିଁଲା ଆକାଶକୁ,
ଢଳେ ରଥ ଶୂନ୍ୟେ ଆସି ମିଳିଲା ତାହାକୁ ଲୋ, କୋଇଲି ।
କୋଇଲି, ଆଣି ମୋତେ ରଥରେ ବସାଇ,
ଆକାଶ ମାର୍ଗରେ ରଥ ନେଲା ତହୁଁ ବାହି ଲୋ, କୋଇଲି । ୩୦ ।
କୋଇଲି, ତୁରିତେ ତା ରାଜ୍ୟରେ ମିଳିଲା,
ତହୁଁ ଅଶୋକ ବନରେ ମୋତେ ଲୁଚାଇଲା ଲୋ, କୋଇଲି ।
କୋଇଲି, ଥାନ୍ତି ଜଗି ସହସ୍ରେ ଅସୁରୀ,
ସ୍ଥାନ ଟିକିଏ ନ ଥାଏ ବସିଥାନ୍ତି ଘେରି ଲୋ, କୋଇଲି ।
କୋଇଲି, ଦିବା ରାତି ଦୁଇ ମୋର ଏକା,
ଦିନ ନ ସରଇ ନିରନ୍ତରେ କରି ଦକା ଲୋ, କୋଇଲି ॥
କୋଇଲି, ଧାତା ମୋତେ ଏତେ କଷ୍ଟ ଦେଲା,
ଧରାଇ ଅସୁର ଘରେ ବନ୍ଦୀ କରାଇଲା ଲୋ, କୋଇଲି ।
କୋଇଲି, ନାରାଚ ଘେନିଣ ରଘୁନାଥ,
ନିମିଷରେ ମୃଗ ମାରି ଆସି ବେନି ଭ୍ରାତ ଲୋ, କୋଇଲି । ୪୦ ।
କୋଇଲି, ପର୍ଣ୍ଣକୁଟୀ ଦ୍ୱାରେ ଡ଼ାକୁଥିବେ,
ପୟର ପଖାଳୁଁ ଜଳ ଦିଅ ସୀତା ଏବେ ଲୋ, କୋଇଲି ।
କୋଇଲି, ଫୁଟି ଡ଼ାକୁଥିବେ ବେନିଭାଇ,
ଫୁଟିଛୁଁ ତୃଷାରେ ଜଳ ଦିଅ ବଇଦେହି ଲୋ, କୋଇଲି ।
କୋଇଲି, ବୋଲ ଯେବେ ନ ଶୁଣିବେ ମୋର,
ବୋଲିବେ କେ ଘେନିଗଲା ସୀତାଙ୍କୁ ଆମ୍ଭର ଲୋ, କୋଇଲି ।
କୋଇଲି, ଭାଇ ବେନି ବନେ ବୁଲୁଥିବେ,
ଭଲ ଲୋକ ଦେଖିଲେ ବାରତା ପଚାରିବେ ଲୋ, କୋଇଲି ।
କୋଇଲି, ମଡ଼ିଆ ଦୁଆରେ ବେନିଭାଇ,
ମୋତେ ଡାକୁଥିବେ କାନ୍ତ ମୃଗଭାର ଥୋଇ ଲୋ, କୋଇଲି । ୫୦ ।
କୋଇଲି, ଜୀବ ଯିବା ପ୍ରାୟେ ହେଉ ଥିବେ,
ମାସକ ଯେ ଲକ୍ଷେ ଯୁଗ ପରାୟେ ମଣିବେ ଲୋ, କୋଇଲି !
କୋଇଲି, ରାବୁଥିବେ ମୋର ନାମଧରି,
ରାତ୍ର ଦିବା ନୟନରୁ ବହୁଥିବ ବାରି ଲୋ, କୋଇଲି ।