ପୃଷ୍ଠା:Prachina Odia Kabita.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମଳ ଲୋଚନ ଚଉତିଶା
ବଳରାମ ଦାସ

କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ରଧାରୀ ।
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ।
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ ।
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ।
ନନ୍ଦନନ୍ଦନ ଗୋପୀନାଥ । ନିସ୍ତରିଯିବ ନରେ ଚିନ୍ତ ।
ଚନ୍ଦ୍ରମା ପ୍ରାୟେକ ବଦନ । ଚାହିଁଲେ ଖଣ୍ତେ ଦୁଃଖମାନ ।
ଛତ୍ରୀ ଉତ୍ତମ ଶିରୋମଣି । ଛଟକେ ଆଣିଲେ ରୂକ୍ମିଣୀ ।
ଜଗଜ୍ଜୀବନ ଦାଶରଥି । ଜାନକୀ ଦେବୀ ପ୍ରାଣପତି |
ଝୀନ ପତନୀ ଅଙ୍ଗେଶୋଭା । ଝଟକେ ବିଦ୍ୟୁ ପ୍ରାୟେ ଆଭା ।
ନୀଳେନ୍ଦ୍ରୀ ଜଳେ ପଦ୍ମଆଖି । ନିସ୍ତରିଯିବା ନରେ ଦେଖି । ୧° ।
ଟେକିଲେ ଦୁବ କରେ ଦାରୁ । ଟାଣପଣରେ ଭାଙ୍ଗେ ମେରୁ ।
ଠଣ ସୁନ୍ଦର ଶିରୋମଣି । ଠିକେ କମଳା ଯାର ରାଣୀ ।
ଡମ୍ବରୁଧର ଯାକୁ ସେବା । ଡ଼ରେ ଖଟନ୍ତି ସର୍ବ ଦେବା ।
ଢ଼ମ ଯେ କଲା ରାୟେକଂସ । ଢ଼ାଳେ ଅସୁର ଗଲାନାଶ ।
ଅନନ୍ତ ନାମେ ଅନ୍ତନାହିଁ । ଅଣ ଅକ୍ଷରେ ଯାର ଦେହୀ ।
ତପନ କୁଳେ ଅବତରି । ତାରିଲେ ଗଉତମ ନାରୀ ।
ଥବିରପଣେ ମାୟାଗତି । ଥୟ ନ ଜାଣେ ବେଦପତି ।
ଦରିଦ୍ର ଦାମୋଦର ମିତ୍ର । ଦଣ୍ଡକେ ଦେଲେ କୋଟିଅର୍ଥ ।
ଧରଣୀଧର ଶିରୋମଣି | ଧ୍ରୁବଙ୍କୁ ନିସ୍ତାରିଲେ ପୁଣି ।
ନୃସିଂହମାଧବ ମୁରାରି । ନଖେଣ ହିରଣ୍ୟ ବିଦାରି ।୨o।
ପରମାନନ୍ଦ ପଦ୍ମଲାଭ । ପୂରି ରହିଛ ସର୍ବ ଜୀବ ।
ଫୁଲାପଣକୁ ନୋହେସରି । ଫୁଲ ମାଳରେ ଦେହଭରି ।
ବାଳିକି ବଧକଲ ହେଳେ । ବନ୍ଧ ବାନ୍ଧିଲ ସିନ୍ଧୁଜଳେ ।
ଭାଙ୍ଗିଲ ରତ୍ନମୟ ପୁର । ଭ୍ରାନ୍ତି ଛାଡ଼ିଲା ଦେବଙ୍କର ।
ମାଇଲ ଅକ୍ଷୟ ରାବଣ । ମହିଁମା କେ କରୁ ବଖାଣ ।
ଯାଦବ ବଂଶେ ଜାତହୋଇ । ଜଗତ ଉଦ୍ଧାରିବା ପାଇଁ ।