ପୃଷ୍ଠା:Prachina Odia Kabita.pdf/୧୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫-୧୬ଶ ଶତାବ୍ଦୀ
୧୧୧
 

ଅନ୍ୟ ଅଳଙ୍କାରମାନ କି କହିବି ଆଉ
ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ।
ସବୁ ଅଳଙ୍କାରମାନ ଏକଠାବ କଲେ
ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ । ।୧୭୦।
ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ
ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁ ।
ଗୃହସ୍ଥ ହୋଇଣ ଯେବେ ଭର୍ଯ୍ୟାକୁ ଛାଡ଼ଇ
ଛ'ମାସକୁ ଭାତ ଲୁଗା ଲେଖିଣ ଦିଅଇ ।
ଏହି ଅଳଙ୍କାର ସବୁ ତୁମ୍ଭେ ଘେନି ଯାଅ
ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ ।
ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ।
ମୋହ ତୁଲ୍ୟ ଆଉ ଯେଉଁ ଭରିଯା ଆଣିବ
ଏହି ସବୁ ଅଳଙ୍କାର ତାହାକୁ ଯେ ଦେବ । ୧୮୦ |
ମୁହିଁ ଯାଉଅଛି ହୀନା ଅରକ୍ଷିତା ହୋଇ
ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ।
ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ।
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ
ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନମିଳିବ ।
ମୁହିଁ ଚାଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ
ଭୋଜନ କରିବ ତେବେ କାଳୀୟ ଗଞ୍ଜନ ।
ଏତେ ବୋଲି ଲକ୍ଷ୍ମୀଦେବୀ ଶାପ ଦେଇ ଗଲେ
ଦେଉଳୁ ବାହାର ହୋଇ କେତେ ଦୁରେ ହେଲେ । ।୧୯୦।
ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାବନ୍ତି
ଦାସୀଙ୍କୁ ଅନାଇ ଲକ୍ଷ୍ମୀଦେବୀ ବୋଲୁଛନ୍ତି ।
ମୁହିଁ ଯାଉଅଛି ହୀନା ଅଲକ୍ଷଣୀ ହୋଇ
ମୋହ ପଛେ ତୁମ୍ଭେମାନେ ଆସୁଛ କିଂପାଇଁ ।