ପୃଷ୍ଠା:Prachina Odia Kabita.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବଳରାମ ଦାସ


ଏସନ କାଳେ ଦେବତାଙ୍କ ଆଳେ ଶଙ୍ଖ ଶବଦ ଶୁଭିଲା
ରଜନୀ ଶେଷେ ଅରୁଣ ପ୍ରକାଶେ ତାରା ଥୋକାଏ ଲିବିଲା ।
ଗୋପର ଯୁବତୀ ଶେଯୁ ଉଠନ୍ତି ଘରଦ୍ୱାର ସଜ କରି
ଦୀପନ୍ତ ଜାଳି ଶେଯନ୍ତ ତୋଳି ଦହି ମହିତ ସୁନ୍ଦେରୀ ।
ସଭାବେ ବାଳୀ କାଳି କେ ଗୋରୀ ବନମାଳୀ ଦେହ ଲାଗି
ରୂପ ଯୌବନ ଷୋଳଶା ସମ୍ପୂନ୍ୟ ସ୍ୱାମୀଙ୍କର ସୌଭାଗୀ ।
ଦୀପ ତରାସେ ମୁଖ ବିକାଶେ ଚନ୍ଦ୍ର ବିଜୁଳି ବିରାଜି
ଖୁଆ ଦଉଡ଼ି ଧରି ଉଚ୍ଛଡ଼ନ୍ତେ ଭୁଜର କଙ୍କଣ ବାଜି ।
ନାନା ରତନ ଅଳଙ୍କାରମାନ ଝଲଝଲ ଝଟକନ୍ତି
ମୁକୁତା ମାଣିକ ନୀଳା ପୋଏଳା କଣ୍ଠମାଳ ଦୋଳି ହ୍ୱନ୍ତି । । ୧୦ ।
ଫୁଲମାନେ ଆସି ଖୋପାରୁ ଖସି ପିଠ କତିକି ଓହୋଳେ
ହଲନ୍ତି ସ୍ତନେ ନିତମ୍ବମାନେ କୁଣ୍ଡଳ ହାନ୍ଦୋଳି ଦୋଳେ ।
କୀରତି କରେ କୃଷ୍ଣ ସୁମରେ କୃଷ୍ଣ‌ଗୀତ ଗୋପୀ ଗାନ୍ତି
ରଜନୀ କାଳେ ଶୀତଳ ବେଳେ ଶବଦେ ସ୍ୱର୍ଗକୁ ଯାନ୍ତି ।
ସ୍ୱର୍ଗକୁ ଶୁଭି ବୁଡ଼େ ଦୁନ୍ଦୁଭି ଶୁଣି ସୁରଗଣେ ତୋଷ
ଦହି ମହିବାର ଶବଦ ଶୁଭଇ କିଜାଣି ଶାହେର ଘୋଷ ।
ବୋଲନ୍ତି ଦେବେ ନିସ୍ତରିଲୁ ଆମ୍ଭେ ଶୁଣିଲୁ ହରିଚରିତ
ଜଗତଜନଙ୍କ ମୁଖରୁ ଶୁଣିଲୁ ଏଣୁ ଅଧିକ ପବିତ୍ର ।
ସ୍ୱର୍ଗରେ ସୁର ଏହେର୍ନ୍ତୁ ବିଚାର ରହିଣ ଶୁଣନ୍ତି ଗୀତ
ଏସନ ସମଏ ରଜନୀ ପାହିଲା ଉଦୟେ ହୋଏ ଆଦିତ୍ୟ । ।୨୦।
('ଉଦ୍ଧବଗୀତା', ପ୍ରଥମ ଅଧ୍ୟାୟରୁ ଗୃହୀତ)