ପୃଷ୍ଠା:Prachina Odia Kabita.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୬
ପ୍ରାଚୀନ ଓଡ଼ିଆ କବିତା
 

ମୁହିଁ ବାଳୁତ ତନୁ ନ ଜାଣଇ କିଛି
ଭଗତି ହୋଇତ କି ମୋହୋର ବୁଦ୍ଧି ଅଛି ।
ତୁମ୍ଭେ ମହାତପୀ ପରମ ବ୍ରହ୍ମଜ୍ଞାନୀ
ମୁଁ କି ସମ୍ଭାଳି ପାରିବି ଭୋ ମୁନି ।
ତୁମ୍ଭେ ସଦୟା ଯେ ଘେନିବା ମୋର ସେବା
ପ୍ରସନ୍ନ ହୋଇଣ ୟେହା ପରିଗ୍ରହ କରିବା । ।୩୪୦।
କାମମୋହେନୀ ବୋଲଇ ଶୁଣସି ହେ ଋଷି
ୟେ ସେ ଉପହାର ମୋହୋର ଆଖିକି ନ ଦିଶି ।
ହରିତକି ଅୟେଳା ଆମ୍ଭେ କି ୟେହା ଖାଇ
ୟେ କି କନ୍ଦମୂଳ ଖାଇଲେ କ୍ଷୂଧା ଯାଇ ।
ୟେହି ପାଣି ଖାଇଲେ କି ହରଇ ହାଦେ ତୃଷା
ବାହାଡ଼ା ଫଳ ୟେତ ଲାଗଇ ବଡ଼ କଷା ।
ୟେହୁ ବନେ ୟେହି ଫଳ ଉପୁଜଇ
ଅଭାଗ୍ୟବନ୍ତ ଋଷି ଯେ ସେ ୟେ ଫଳ ଭୂଞ୍ଜଇ ।
ଆମ୍ଭର ବନ ଫଳ ଭୁଞ୍ଜ ମହାଯତି
ଦେଖ ହୋ ଆମ୍ଭର ତପର ଶକତି । ।୩୫୦।
ଆମ୍ଭର ବିପୁନ୍ୟର ଗଛର ବକଳ
ଆମ୍ଭ ପର୍ବତର ନିର୍ଝର ଯେହୁ ଜଳ ।
ୟେତେ ବୋଲି ନାରୀ ସୁବାସିଲା ପାଣି
ରତ୍ନ‌ଝରେ ଭରି ବେଗେ ଦେଲେ ଆଣି ।
ସନ୍ତୋଷେ ଋଷିପୁତ୍ର ପଖାଳିଲା ପାଦ
ଆଚମନ କରନ୍ତେ ମଣିଲା ସୁସ୍ୱାଦ ।
କାମମୋହେନୀ ଯେ ଘେନିଣ ଝୀନବାସ
ୟେ ତରୁ ବକଳଟି ହୋ ବିଭାଣ୍ଡେକର ଶିଷ ।
ୟେତେ ବୋଲି ମୁନି ଯେ ଶରୀର ପୋଛିଲା
ରଙ୍ଗରାଜ ନେତ ପୁଣ ହିଂ ବାଛିଲା । ।୩୬୦।
କୁଞ୍ଚେ ଉଚ୍ଛିଣ ସେ ବୋଲଇ ମୁନି ପିନ୍ଧ
ଶରୀରେ ଆପଣେ ସେ ଲେପିଲେ ଚାରୁ ଗନ୍ଧ ।