ପୃଷ୍ଠା:Prachina Odia Kabita.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୮
ପ୍ରାଚୀନ ଓଡ଼ିଆ କବିତା
 

ନାନା ପଦାର୍ଥ ଦେଲା ଋଷିଙ୍କରି
ଭୂଞ୍ଜିଣ ସନ୍ତୋଷ ଯେ ହୋଇଲେ ତପଚାରୀ ।
କାମ ମୋହେନୀ ଯେ ପିଠି କତି ବସି
ମୁନିଙ୍କି କଥାୟେ ବୁଝାବଇ ବସି ।
ଆଚମନ କରାଇଲେ ଅଗ୍ରବାସ ପାଣି
ମୁଖବାସକଇ ଚନ୍ଦନ ଗୁଆ ଆଣି ।
ଆଚୋବନ କରାଇ ପୋଛିଲେକ ମୁଖ
ଋଷିଙ୍କର ପୁତ୍ର ପାଇଲ ବଡ଼ ସୁଖ ।
କର୍ପୂର ବାସ ଗୁଆ ଉତ୍ତମ ତାମ୍ବୋଳ
ଭୂଞ୍ଜିଣ ତପସ୍ୱୀ ଯେ ହୋଇଲାକ ଭୋଳ । ।୪୦୦।
ଶିରେ କୁସୁମ କଣ୍ଠେ ଉତ୍ତମ ତାମ୍ବୋଳି
ପୁଣି ଚତୁସମ ଲେପିଲେକ ବାଳୀ ।
କେବଳ ବିଳାସୁଣୀ ବିଞ୍ଚନ୍ତି ବିଞ୍ଚଣୀ
ଚାମର ଢାଳନ୍ତି କେବଣ ତରୁଣୀ ।
କେହୁ ପାଟଛତ୍ର ଉଭାରିଲେ ଶିରେ
ପୁଣି ବସାଇଲେ ରତ୍ନ ଖଟୁଲି ଉପରେ ।
ଉଂକାର ଆଳାପ କରିଣ ଗୀତ ଗାଇ
ଅତି କୋମଳ ରାଗେ କେଦାର ଉଚ୍ଚାରଇ ।
ବୀଣା ଯନ୍ତ୍ର ଘେନି ବଜାଇଲେ ମର୍ଦ୍ଦଳ
କେହୁ କରତାଳ ବାଇ କେ ବଜାନ୍ତି କଂସାଳ । ।୪୧୦।
ମଧୁକେରୀ ରାଗେ କେ ପ୍ରବନ୍ଧେ ଗୀତ ଗାଇ
ମୁନିଙ୍କ ମୁଖ ଚାହିଁ ନୃତ୍ୟ କେ କରଇ ।
କେ ଧୂପକାଠି ଘେନିଣ ଉଭା ହୋଇଛନ୍ତି
କେହୁ ରତ୍ନ ପାଦୁକା ନେଇ ପାଦେ ଦ୍ୟନ୍ତି ।
କେବଣ ସୁନ୍ଦେରୀ ଯେ ଦର୍ପଣ ଦେଖାଇଲେ
ୟେଥି ମୁନି ମୁଖ ଚାହାଂସି ବୋଇଲେ ।
କାମମୋହେନୀର କୋଳରେ ବସି ଯତି
ପରମ ହରଷେଣ ଦର୍ପଣ ନିରୋପନ୍ତି ।