ପୃଷ୍ଠା:Prachina Odia Kabita.pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୩୧
 

ୟେତେ ବୋଲି ନାରୀ ଅଇଲେ ପିଠି ଦେଇ
ଥୋକାୟେକ ଦୂରେ ଲେଉଟି ପୁଣି ଚାହିଁ ।
ମୁନି ଅନାଇ ବୋଇଲେ କାଲି ଆସ
ମୁହିଁ ତୁମ୍ଭର ଯେ ଅଟଇ ନିଜ ଦାସ ।
ସୁନ୍ଦେରୀ ଅଳପ ହସିଣ ବୋଇଲେ
ଆସିବୁ ଆସିବୁ ବୋଲିଣ ବୋଇଲେ । ।୪୮୦।
ଅଦୃଶ୍ୟ ପରିଯନ୍ତେ ଅନାଉଥିଲା ମୁନି
ଜରତା ଛାମୁରେ ସେ ମିଳିଲେ କାମେନୀ ।
ୟେସନେକ କଥା ହୋଇଲା ସେହୁ ଦିନ ।
ଶୁଣି ଜରତା କନ୍ୟା ପରମ ତୋଷ ମନ ।
ୟେଥୁ ଅନନ୍ତରେ ଋଷିଶୃଙ୍ଗ ମୁନି
ଯୁବତୀଙ୍କର ଗଲାକୁ ଭାଳଇ ତପୋଧନୀ ।
ନ ପୁଣ ନ ଆସନ୍ତି ଅପୂର୍ବ ତପଚାରୀ
ପୁଣି ହିଁ ବିଚାରଇ ସାଷ୍ଟାମ ମନେ ଧରି |
ଆସିବୁ ବୋଲି ଯେ ବୋଇଲେ ତପଚାରୀ
କାଲି ଆସିବେ ସେ ପ୍ରାତ ସ୍ନାନ କରି । | ୪୯୦ |
ପିତା ଆସିବାର ଜାଣିଲାକ ବେଳ
ବସ୍ତ୍ର ଅଳଙ୍କାର କାଢ଼ି ଋଷିବାଳ ।
ଗନ୍ଧ ଚନ୍ଦନ ଯେ ପକାଇଲା ପୋଛି
ଶିରର ପୁଷ୍ପ ସେ ପକାଇଲା ଲେଛି ।
ଦୋହୋରା ଘରେ ପଶି ବିଭୂତି ବୋଳିଲା
କନ୍ଦ ଫଳ ମୂଳ ଜଳାଦି ଆଣିଲା ।
କାମଧେନୁ ସମ୍ଭାଳିଣ କଲାକ ଦୋହନ
ଯୁବତୀଙ୍କ ତହିଂ ଅଛଇ ତା'ର ମନ ।
ୟେଥୁ ଅନନ୍ତରେ ରବି ଅସ୍ତ ଗଲା
ତପ ସ୍ଥାନ ତେଜି ବିଭାଣ୍ଡେକ ଅଇଲା । ।୫୦୦।
ଋଷିଶୃଙ୍ଗ କଥା ବିକୃତ ମଣିଲା
ମାୟା ମୁନିଙ୍କର ଆସିବା ଜାଣିଲା ।