ପୃଷ୍ଠା:Prachina Odia Kabita.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୩୫
 

ଅନେକ ତିଆରିଣ ଗଲେ ମୋର ତାତ
ମୁହିଂ ତାହାଙ୍କର ବୋଲ ନ କଲି ଗ୍ରାହିତ ।
ତୁମ୍ଭନ୍ତ ନ ଦେଖି ମୋର ଚିତ୍ତ ଥଏ ନାହିଁ
ସପନେ ତୁମ୍ଭ ସଙ୍ଗରେ ଥିଲି ଆଜ ମୁହିଁ ।।୫୯୦।
ବାବୁ ମହାତମା ତପ ତୁମ୍ଭର ସାର
ବଶ୍ୟ ହୋଇଲି ଦେଖି ତୁମ୍ଭର ଆଚାର ।
କାମମୋହେନୀ ବୋଲଇ ଶୁଣ ମହାମୁନି
ତୋହୋର ଆଗେ ଉଭା ଯେବଣ କାମେନୀ ।
ୟେ ଆମ୍ଭର ମୋକ୍ଷ ଜରତା କୋଷା ନାମ
ତପେଣ ମନାଇଲ ପଞ୍ଚୁଶର କାମ ।
ୟେହାକଇ ପ୍ରୀତ ହୁଅ ମହାମୁନି
ସାକ୍ଷାତ୍ ରୂପବନ୍ତୀ ୟେ ମଦନ ରସଦାନୀ ।
ଶୁଣିଣ ଋଷିଶୃଙ୍ଗ ଜରତାକଇ ଚାହିଁ
ଅଳସ ଦୃଷ୍ଟିରେ ସେ ଅଛଇ ଉଭାହୋଇ ।।୬୦୦।
ମୁନି ମୁଖ ଚାହିଁ ସେ ଅଳପ ହସିଲା
ଚରଣ ଜେଷ୍ଠ ଅଙ୍ଗୁଳି ଭୂମିରେ ଘଷିଲା ।
କର ପ୍ରସାରିଣ ଧଇଲା ମୁନି ହସ୍ତ
ବୋଇଲା ସୁଦୟା ମୋତେ କରିବ ତପୋବନ୍ତ ।
କାମମୋହେନୀ ଯେ ବିଞ୍ଚଇ ବଞ୍ଚଣୀ
ଚାମର ଢାଳନ୍ତି ଯେ କେବଣ ତରୁଣୀ ।
କରେ ପାଟଛତ୍ର କେ ତୋଳିଣ ଧରନ୍ତି
କେ ନେଇ ପାଦେ ପାଦୁକା ନେଇଣ ଯୋଚାନ୍ତି ।
ମୁନି ବୋଇଲେ ଧନ୍ୟ ତୁମ୍ଭର ଦେବପୂଜା
ରଖିଅଛି ତୁମ୍ଭକୁ ଧନ୍ୟ ସେହୁ ରାଜା ।।୬୧୦।
କେବଣ ପୁନ୍ୟ କୁଟୀରେ ଥାଅ ତୁମ୍ଭେ ରହି
କାମମୋହେନୀ କହିଲା ଅଙ୍ଗୁଷ୍ଠି ଦେଖାଇ ।
ଯଦି ଦୟା ତୋର ଅଛି ତପଶାଳୀ
ଆଜ ଆମ୍ଭର ପାପ ହୋଇଲା ପଖାଳି ।