ପୃଷ୍ଠା:Prachina Odia Kabita.pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହନୁମାନର ରାବଣପୁରରେ ପ୍ରବେଶ ଓ ଲଙ୍କାପୋଡ଼ି
ବଳରାମ ଦାସ

ଲୋଡ଼ି ହନୁମନ୍ତ ନ ପାଇଲା ସତୀ
ରାଜାର ମନ୍ଦିରକୁ ଚଳିଲା ମାରୁତି ।
ମୁଷାରୂପ ଧରି ଭିତରକୁ ଗଲା
ମରଣକୁ ନ ଡରି ଅଗ୍ନିରେ ଝାସ ଦେଲା ।
ଦେଖିଲା ମନ୍ଦିର ଅତି ଶୋଭାବନ
କେବଣ ଘରଗୋଟି ସୁବର୍ଣ୍ଣେ ନିର୍ବାଣ ।
କେବଣ ହିଂ ପୁର ଗୋଟା ଅଷ୍ଟରତ୍ନେ ନିର୍ଭାକଲା
କେବଣ ହିଂ ମନ୍ଦିର କାଚ ଢ଼ାଳ ଦେଲା ।
କେବଣ ହୀଂ ପୁର ମରକତେ ଅଛି ଜଡ଼ି
ସୁଧ୍ୟ ସ୍ଫଟିକ କେବଣ ପୁର ଅଛି ଗଢ଼ । ।୧୦।
ଦେଖିଣ ପ୍ରଶଂସା ଯେ କରଇ ମାରୁତି
ସାଧୁ ସାଧୁ ମହିମା ତୋହୋର ଲଙ୍କପତି ।
ଚନ୍ଦନ କୁଢ଼ କୁଢ଼ କାହିଂ ଅପ୍ରମାଣ
କେବଣ ଠାବେ ଅଛି ବହୁତ ସୁବର୍ଣ୍ଣ ।
କାହିଂ ରୂପା କାହିଂ କଂସା ତମ୍ବା ଅଛି
କାହିଂ ଗନ୍ଧପେଡି ଅଛଇ ଉକୁଚି |
କାହିଂ ନବରତ୍ନ ଜଡିତ ଆୟୋମାନ
କେବଣ ଠାବେ ଅଛି ବିଚିତ୍ର ବସନ ।
କାହିଂ ନେତ ପାଟ ପତନୀ ପେଡ଼ା ପେଡ଼ା
କାହିଂ ଶ୍ରୀ କର୍ପୂର ପନୀର ପୁଡା ପୁଡ଼ା । ।୨୦।
ତଇଳ କାହିଂ କାଚର ଭାଣ୍ତେ ଥୋଇ
କାହିଂ କସ୍ତୁରୀ ଅଛି କୁଢ଼ କୁଢ଼ ହୋଇ ।
କାହିଂ ଜୁଆଦ ପଡ଼ିଅଛଇ ଗନ୍ଧଗୁଣ୍ଡି
କେବଣ ଘରଗୋଟା ଯତନେ ଅଛି ମଣ୍ଡ ।
କାହିଂ ଭୂମିଶେଯ କାହିଂ ଖଟ ଦୋଳି
କାହିଂ ପଲଙ୍କେ ପାଡ଼ିଲା ହଂସୁଲୀ ତୁଳି ।