ପୃଷ୍ଠା:Prachina Odia Kabita.pdf/୧୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମ ଖାନି
ଅଚ୍ୟୁତାନନ୍ଦ ଦାସ

ଓଁ ଶ୍ରୀ ଗୁଋଭ୍ୟୋ ନମଃ, ଓଁ ପରମ ଗୁରୁଭ୍ୟୋ ନମଃ ।
ଶ୍ରୀଗୁରୁ ବଚନ ଅତି ଅମୁଲ୍ୟ, ଶ୍ରବଣ ପଥେ ଭଲ କରି ତୁଳ ।
ସକଳ ବେଦ ପୁରାଣର ସାର, ବିଷମ ସନ୍ଧି ବିବେକ ବିଚାର ।
ଯହିଂ ରମିଲେ ନ ରୁଚଇଂ ଆନ, ଅମୃତ ସଙ୍ଗେ ବିଷ କାହିଂ ପାନ ।
ତାହା ଗୁଣ ଜାଣି ଯେ ତ‌ହିଂ ରତ, କୋଟି ଇନ୍ଦ୍ରପଦ ଭିକ୍ଷୁକ ମତ ।
ଅନଳ ଜଳ ଖଡ଼ଗେ ନିଶଙ୍କ, ବ୍ରହ୍ମାଣ୍ଡ ଗଲେ ରୋମ ନୁହେ ବାଙ୍କ ।
ନାନା ଦେହ ବ‌ହିଂ ଯେ ତ‌ହିଂ ମଜ୍ଜି, ମୃତ୍ୟୁ ଦେବତା ନ ପାରଇ ଗଞ୍ଜି |
ରସିଲେ ମୁକତି ମିଶିଲେ ସଙ୍ଗ, ଜାଣି ପାରିଲେ ଅଜ୍ରାମ୍ବର ଅଙ୍ଗ ।
କୀଟୁଂ ବ୍ରହ୍ମଯାଏ ଭବେ ଅଜୀବେ, ଅଛିଦ୍ର ହୋଇ (ଥାଇ) ସର୍ବ ଗର୍ଭେ ।
ଜଗତ ଭିତରେ ଯେତେ ରଚନା, ତ‌ହିଂକି ସବୁ ଉପାଲମ୍ୟ ସିନା ।୧୦।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ, ଚାରିଖାନି ସବୁ ତୋହରି ଅଙ୍ଗ ।
ଉତ୍ପତ୍ତିସ୍ଥିତ ଯେ ପ୍ରଳୟ ତିନି, ଆବୋରି ଅଛି ୟେହି ଦେହ ଘେନି ।
ଏହାର ତ‌ହୁଂ ଜଗତ ପ୍ରକାଶ, ତ‌ହିଂ ଉପୁଜି ତ‌ହିଂ ହୋୟେ ନାଶ |
ସୁଖ ଦୁଃଖ ସଙ୍ଗୀ ନାହିଂ ତାହାର, ବଚନେ ନୁହଇ ମନୁ ବାହାର ।
ନୁହଇ ରୂପ ନାହିଁ ତାର ନାମ, ସେ ଜ୍ୟୋତି ବନ୍ଦି ୟେ ଅତି ଉପାମ ।
ଦ୍ୱାଦଶ ମାତ୍ରା ପଂଚାଶ ଅକ୍ଷର, ଜପ ହରିଗୁଣ ଏଥି ଭିତର ।
ବ୍ରହ୍ମ ଆଦି କରି କୀଟର ଯାଏ, ଅକ୍ଷର ଭିତରେ ସମସ୍ତ ହୋଏ ।
ଅକ୍ଷର ଭିତରେ ଜଗତ ଲେଖା, ଅକ୍ଷର ବାହାର ସେ ରୂପ ୟେକା ।
ସୂର୍ଯ୍ୟ କିରଣ ଯହିଂ ପରକାଶେ, ଲୋଚନ ମନ ଯ‌ହିଂ ଯାଇ ପଶେ ।
ଯେତେକ ବେଦ ପୁରାଣ ବଖାଣି, ତ‌ହୁଂ ଅଧିକ ତ କେହି ନ ଜାଣି ।୨୦।
ଅନେକ ତପୀ ବ୍ରହ୍ମଲୋକେ ଥିଲେ, ଈଶ୍ୱର ଆଦି କେହି ନ ଜାଣିଲେ ।
କାହୁଂ ଜାଣିବେ ସେ ନୁହଇଂ କିଛି, କେବଳ ତାହା ତ‌ହିଂ ଭାବ ଅଛି ।
ତାହାକୁ ଆନ ପଟାନ୍ତର ନାହିଂ, ତାହା ପଟାନ୍ତର ତାହାରି ତ‌ହିଂ ।
ଅବ୍ୟଗତ ବ୍ରହ୍ମ ଯେବଣ ଗ୍ୟାନ, ବିଷ୍ଣୁ ମାୟା ତହୁଂ ନ ଜାଣନ୍ତି ଆନ ।
ବ୍ୟାସ ମହାମୁନି କବି ପ୍ରଚଣ୍ଡ, ପୁରାଣ କଲେ ଅଷ୍ଟାଦଶ ଖଣ୍ଡ ।
ଷାଠିଏ ଲକ୍ଷ ବଖାଣିଲେ ଗ୍ରନ୍ଥ, ସେହି ନ ଜାଣିଲେ ତଥି ତଦଂନ୍ତ ।