ପୃଷ୍ଠା:Prachina Odia Kabita.pdf/୧୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୭୧
 

ସଂଦେହ ଫିଟିଲା ହୋଇଲି ଶାନ୍ତି, ଯେଣେ ସେ ଗଞ୍ଜି ମାରୁଥିଲା ଭ୍ରାନ୍ତି ।
ଏତେ ପରଚେ ଉପୁଜିଲା ମନେ, ମରଣ ଜଣିଲି ୟେହି ବଚନେ ।
ଅପାର କାରଣ ହୋଇଲା ନିନା, ଏକା ଅବଗୁଣେ କହଇଂ କିନା ।
ପ୍ରକୃତି ଲମ୍ପଟେ ଶରୀର ଜଡ଼ି, କୁବାସନା ଘେନି ଗୃହରେ ପଡ଼ି ।
ଏ ଜଡ଼ ଯହୁଂ ଆବୋରିଲା ଆସି, ତେଣୁ ତହିଂକି ନ ପାରିଲି ପଶି ।
ୟେ ମହା ଜଡ଼ ଛେଦିବାର ପାଇଂ, ମୋହେ ମନକୁ ତିଆରଇଂ, ମୁହିଂ ।
ସୁଜନମାନେ ସାବଧାନେ ଶୁଣ, ଶୁଦ୍ଧ ଚଇତନ ବିବେକ ଗୁଣ ।
ଶବଦ ବ୍ରହ୍ମଂ ସଂହିତା ବଚନ, ମନରେ ଆଗେ କହଇ ଚଇତନ ।
ସୂର୍ଯ୍ୟ ବଂଶେଣ ମହୀପତି ସାର, କପିଳ ରୁଦ୍ର ନୃପତି କୁମାର ।
ଶ୍ରୀ ପୁରୁଷୋତ୍ତମ ନୃପ ତନୁଜା, ପ୍ରତାପରୁଦ୍ର ଦେବ ମହାରାଜା । ୧୨୦।
ରବିତଳେ ଆନ ନାହିଂ ଉପମା, ସପତ ଦ୍ୱୀପ ପୃଥି ଯାର ସୀମା ।
କେବଣ ଗୁଣ କହିବା ତାହାର, ଜପ ତପ ଜ୍ଞାନ ଯହୁଂ ବାହାର ।
ବଳେ ଅକଳିତ କୁଳେ ପବିତ୍ର, ଅଇରି କୃତାନ୍ତ କରେ ଆଶ୍ରିତ ।
ସେ ମହାରାଜାଙ୍କ ପଚିଶ ଅଙ୍କେ, ଶବଦ ବ୍ରହ୍ମ ମୁଁ କଲି ନିଶଙ୍କେ ।
ସିଦ୍ଧି ଶତେକ ପଟାନ୍ତର ନାହିଂ, ଜନ୍ତୁ ମରଣ ବିବର୍ଜିତ ଯହିଂ ।
ମନ ଚଇତନ୍ୟ ଯାହା ସମ୍ପାଦି, ଅଷ୍ଟାଙ୍ଗ ଯୋଗ ସାଧନାର ଆଦି ।
ଗୁରୁବଚନ ଅଷ୍ଟରତ୍ନ ଧିପ, ଭ୍ରାନ୍ତି ଅନ୍ଧକାରେ ବୋଧ ପ୍ରଦୀପ ।
ଯେବଣ ଜନେ ଅନୁଭବେ ରତ, ସେହି ସେ ଜାଣଇ ତଥି ତଦନ୍ତ ।
କମଳାପତି ନୀଳଗିରି ବାସ, ପରମ ଜୋତି ସହଜେ ପ୍ରକାଶ ।
ସେ ଯଉଂ କିଞ୍ଚିତେ କଲେ କରୁଣା, ତେଣୁ କରି ମୋତେ ପଦ ପୁଂରୁଣା । ୧୩୦।
ଶବଦ ବ୍ରହ୍ମ ସଂହିତାର ବାଣୀ, ଆରମ୍ଭ ଯୋଗେ ଭେଟାଇଲେ ଆଣି ।
ଇତି ଶ୍ରୀ ମନ ଚୈତନ୍ୟ ସମ୍ବାଦେ, ଶବଦ ବ୍ରହ୍ମ ସଂହିତା ପ୍ରବୋଧେ ।
ତ‌ତ୍ୱ ବ୍ରହ୍ମ ଏଥେଂ ମନ ଚେତନା, ଅଚ୍ୟୁତ ଦାସେ କଲେ ରଚନା ।
('ଚାରିଖାନି'ରୁ ଗୃହୀତ)