ପୃଷ୍ଠା:Prachina Odia Kabita.pdf/୧୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭୪
ପ୍ରାଚୀନ ଓଡ଼ିଆ କବିତା
 

(୩)
ଆରେ ଭଜ ମନ !
ଭଜି ପାରିଲେ ପାଇବୁ ଦରଶନ ।
ଚିତା ସଳଖରେ ଧୂନି ଘର । ଧବଳ ଚିତ୍ତକୁ ଲୟ କର
ଧ୍ୟାଉଅଛି ଜୀବ ପରମ ସଙ୍ଗରେ, ଧପାଦେଉଅଛି ନିରନ୍ତର ।
ତ୍ରିବେଣୀ ବହୁଛି ତିନି ଧାର । ବହନ୍ତା ନଦୀକୁ ଥୟ କର
ବଙ୍କୁନାଳେ ପାଣି ଉଠିବ ଉଜାଣି, ଉଡ଼ିଯିବ ତୋର ହଂସ ଘର ।
ତ୍ରିବେଣୀ ନଦୀ ପଶ୍ଚିମେ ଯାଇ । ତ୍ରିକୂଟ ସନ୍ଧିରେ ଅଛି ଅହି
ସେହି ଅହିବର ଶବଦ ଘାତରେ, ପଶି ନ ପାରନ୍ତି ତହିଁ କେହି ।
ଦେଉଳ ଭିତରେ ଦେଖ ଠୂଳ । ଦେବତା ଅଛନ୍ତି ହଳ ହଳ
ଦେଉଳେ ପଶିଲେ ଦର୍ଶନ ପାଇବୁ, ମୋକ୍ଷ ହୋଇଯିବ ପିଣ୍ଡ ତୋର । ।୧୦।
କହଇ ଅଚ୍ୟୁତ ବ୍ରହ୍ମଜ୍ଞାନ । କୃଷ୍ଣ ପାଦପଦ୍ମେ ଦେଇ ମନ
ସଦା କରୁଅଛି ଏହି ନିବେଦନ, କୃପାକର ମୋତେ ସାଧୁଜନ ।

(୪)
ଜ୍ୟୋତି ପରେ ଦିବ୍ୟ ଜ୍ୟୋତି ଅମଣ୍ଡଳା ସ୍ଥାନ
ନିର୍ବାତ ମନ୍ଦିରରେ ବିଜୟ ଭଗବାନ ହେ ।
ନିତ୍ୟ ନିରଗୁଣ ସେ ପରମ ପାଶେ ଯାଇ
ଶୁକଳ ବର୍ଣ୍ଣ ସ୍ୱରୂପେ ଜ୍ୟୋତି ବିରାଜଇ ।
ଏକଇ ଚରଣେ ଉଭା ଅନ୍ତରୀକ୍ଷ ରୂପୀ
ଚରଣୁ ଅମୃତ କ୍ଷରି ବ୍ରହ୍ମାଣ୍ଡରେ ବ୍ୟାପୀ ହେ ।
ସତ୍ୱ ରଜ ତମ ତିନି ପାଦରୁ ଉଦିତ
ସେ ପାଦେ ସେବଇ ଦୀନ ପାମର ଅଚ୍ୟୁତ ହେ ।