ପୃଷ୍ଠା:Prachina Odia Kabita.pdf/୧୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାମ ବିଭା
ଅର୍ଜୁନ ଦାଶ
(ରାଗ-ମଙ୍ଗଳ ଗୁଜ୍ଜରୀ)
ବୋଲନ୍ତି ସେ ମାରକଣ୍ଡ ଶୁଣ ଧର୍ମରାୟେ
ବିଭା ବଢ଼ାଇଣ ସାତ ମଙ୍ଗଳାହିଁ ଯାଏ ହେ ।
ଜନକ ଅନେକ ଧନରତ୍ନ ଅଳଙ୍କାର
ଜଣେ ଜଣେ ଅକ୍ଷତ ସେ ଦେଲେକ ଅପାର ହେ ।
ଚନ୍ଦନ ବାସ ତାମ୍ବୁଳ ଫୁଲଭରି ଥୋୟେ
ମହାରାଜାଠାରୁ ଦେଲା ବଜେଣିଆ ଯାଏ ହେ ।
ସବୁଙ୍କୁହିଁ ପ୍ରବୋଧନା କଲେ ସନମାନ
ଧନ ରତ୍ନ ସୁନା ରୂପା ଅନୁକ୍ଷଣ ଦାନ ହେ ।
ଜନକଙ୍କୁ ରାଇ ଦଶରଥ ରାଏ ବୋଲି
ଅଯୋଧ୍ୟାକୁ ବିଜୟ କରିବା ଆମ୍ଭେ କାଲି ହେ । । ୧୦ ।
କୁମାରୀମାନଙ୍କୁ ବେଗେ ଯିବା ସଜ କର
ତୁମ୍ଭେ ଆମ୍ଭେ ଭିନ୍ନ ବୋଲି ମନେ ନ ବିଚାର ।
ରାମ ତୁମ୍ଭ କୁମର ୟେ କୁମାରୀ ସୀତା ମୋର
ମିଥିଲା ଅଯୋଧ୍ୟା ଆଝୁଁ ଏକଇ ନଗର ଯେ |
ଶୁଣି ଥନ ଥନ ରାୟେ କଲେ ବେନି ଆଖି
ଆକୁଳ ହୁଅନ୍ତି ଦଶରଥ ରାଏ ଦେଖି ଯେ |
ବିଚାରିଣ ରାଏ ସେହି ଦିବସ ରହିଲେ
ବାଟ ନଗରକୁ ଆଗ ପାଳିଥାଏ ଗଲେ ଯେ |
ମାଜଣା ମଣୋହି ସାରି ପହୁଡ଼ିଲେ ରାତି
ଟମକ ବାଜିଲା ଯହୁଁ ହୋଇଲା ପାହାନ୍ତି ଯେ | ।୨୦।
ଶୁଭିଲାକ ଗୋଳ ଲୋକେ ହେଉଛନ୍ତି ସଜ
ସୁନାର ମୁକୁଟ ଶିରେ ସବୁ་ ମତ୍ତଗଜ ଯେ ।
ସୁନାର ଶିଙ୍କୁଳି ସୁନା ଘଣ୍ଟି ପାଟ ନେତ
ବେନି ପାରୁଶରେ ଲମ୍ବେ ଶ୍ୱେତ ଚାମରନ୍ତ ଯେ |