ପୃଷ୍ଠା:Prachina Odia Kabita.pdf/୧୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮୨
ପ୍ରାଚୀନ ଓଡ଼ିଆ କବିତା
 

ପ୍ରଣାମ କରିଣ ଦଶରଥ ମହୀପତି
ବିନୟ ବଚନେ ଜନକଙ୍କୁ ପ୍ରବୋଧନ୍ତି ହେ ।
ବାଜିଲାକ ଟମକ ନିଶାଣ ବୀରବାଜା
ବାହୁଡ଼ା ବିଜୟ କଲେ ଅଯୋଧ୍ୟାର ରାଜା ଯେ ।
ଆଗୁ ଆଗୁଆଣି ହୋୟେ ଅନେକ ସଇନି
ମଧ୍ୟରେ ଚାରି କୁମର ଚାରି କନ୍ୟା ଘେନି ଯେ ।
ଧୂଆଁ ଧୋଇଁ ହୋଇଣ ମିଥିଳା ନରନାରୀ
ଶ୍ରୀରାମ ସୀତାଙ୍କୁ ଦେଖି ସାଧୁ ସାଧୁ କରି ହେ ।
ପଛେ ସମଦଣ୍ଡ ଘେନି ଅଯୋଧ୍ୟା ନୃପତି
ୟେମନ୍ତ ପ୍ରକାରେ ବିଜେ କରିଣ ଆସନ୍ତି ଯେ ।।୯୦।
ଏକ ରଥେ ଜନକ ନୃପତି ଦଶରଥ
କଥା ହୋଇ ଗଲେ ତହିଁ ଥୋକାଏକ ପଥ ଯେ ।
ଜନକଙ୍କୁ ବାହୁଡ଼ାଇ ଅଯୋଧ୍ୟାର ରାଏ
ବୀରତୂର ବଜାଇଣ ବିଜେ କରି ଯାଏ ଯେ ।
ତପ ସ୍ଥାନେ ଥାଇଣ ଶୁଣିଲା ପର୍ଶୁରାମ
ବୋଲେ କେଉଁ କ୍ଷତ୍ରୀ ଛାର କଲା କେଡ଼େ କର୍ମ ଯେ ।
କମ୍ପଇ ଅଧର କ୍ରୋଧେ ଅରୁଣ ନୟନ
ପ୍ରଳୟ ପବନ ପ୍ରାୟେ ଶ୍ୱାସ ଘନ ଘନ ହେ ।
ଧୀରେଣ ଉଠନ୍ତେ ସାତସିନ୍ଧୁ ଦ୍ୱୀପ ଚଳି
ପୁରନ୍ଦର କଟକେ ପଡ଼ିଲା ହାଳହୋଳି ହେ । ।୧୦୦।
ପରଶୁ ଝମକି ରୋଷେ ବାହାସ୍ଫୋଟ ମାରି
ମେରୁ କି ଉପୁଡ଼ି ଗାଢ଼େ ସମୁଦ୍ରେଣ ପଡ଼ି ହେ ।
କୁରୁମ ଶଙ୍କଇ ଶିର ସଙ୍କୁଚେ ବାସୁକି
ସମାଧି ଭାଙ୍ଗିଲା ମୁନି ବେଦପୁର ଶଙ୍କି ହେ ।
ପବନ ନ ବହେ ଡରେ ନିଶ୍ୱାସର ତାପେ
ମହୀସ୍ଥଳୀ ଦୁଲୁ ଦୁଲୁ ରାଜାଗଣେ କମ୍ପେ ହେ ।
ରାମଙ୍କୁ ଚାହିଁଣ ପର୍ଶୁ ବୋଲଇ ଉତ୍ତର
ଅପାର କାଳେ କଳଙ୍କ ଛାଡ଼ିବ ତୋହର ।