ପୃଷ୍ଠା:Prachina Odia Kabita.pdf/୧୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮୪
ପ୍ରାଚୀନ ଓଡ଼ିଆ କବିତା
 

ନିରାକାର ବ୍ରହ୍ମ ରାମ ଅବତାର ଲୀଳା
ପରେ ପରାଭବକୁ ନୁହଇ ତୋର ବଳା ହେ ।
ଲକ୍ଷେ ପର୍ଶୁରାମ ତାକୁ ଲିଖ ପ୍ରାଏ ସିନା
ବୀରଙ୍କର ଉପରେ ବୀରଧୂ ଯାର ବାନା ହେ । । ୧୪୦।
ୟେବେ ପୂଜାବିଧି ଘେନ ବେଗେ ଆଗୁସାର
ଦୁରୁ ପ୍ରଣମିତ ହୋଇ ଶିରେ ଯୋଡ଼ କର ହେ ।
ବୋଲିବ ହେ ଭୃଗୁପତି କାହାକୁ ତୋ ରୋଷ
ତୋହୋରେ ପାଇଲି ବୃଦ୍ଧକାଳେ ଚାରିଶିଷ ।
ବିନୟେ କହିଲେ ତୋର ଭକତ ଘେନିବ
ପ୍ରସନ୍ନ ହୋଇଣ ତୋତେ ବାଟ ଛାଡ଼ିଦେବ ।
ଯେବେ ତୋର ବଚନ ଭାଙ୍ଗିବ ପର୍ଶୁଧର
ଶ୍ରୀରାମ ଛାମୁରେ ଗର୍ବ ଭାଙ୍ଗିବ ତାହାର ହେ ।
ଶୁଣି ଦଶରଥ ରାୟେ ପୂଜାବିଧି ଘେନି
ପର୍ଶୁରାମ ଛାମୁରେ ସେ କରଇ ଦଇନି ହେ । ।୧୫୦।
କର ଦୁଇ ଯୋଡ଼ିଣ ପଚାରେ ଦଶରଥ
ଏତେକାଳେ ମୋହୋର ହୋଇଲା ଚାରିପୁତ୍ର ହେ ।
ବିଭାକରି ବରକନ୍ୟା ନେଉଅଛି ଘର
ଏ ପୁଣ ନୁହଇ କ୍ଷତ୍ରୀଙ୍କର ବୀରତୂର ହେ ।
ଶିଶୁମତି ପୁତ୍ର ମୋର ଅଟଇ ଶ୍ରୀରାମ
ତୋହୋର କୋପକୁ ଏହି ନୁହଇ ଭାଜନ ।
କ୍ଷତ୍ରିଙ୍କୁ ଯେ ଏକୋଇଶ ବାର ହତ କଲ
ଅପୁତ୍ରିକ ଦେଖି ମତେ ଅନୁଗ୍ରହ ଦେଲ ।
ତୁ ମହାପୁରୁଷ ମହୀ ଅବତାର ହର
କରୁଣାସାଗର ପର୍ଶୁ ଅବଧାନ କର ହେ । ।୧୬୦।
ପୁଣି ପାଏ ପଡ଼ି ରାୟେ ଶିରେ ଯୋଡ଼ି କର
ପ୍ରସନ୍ନେ ପରଶୁଧର କୋପ ଶାନ୍ତି କର ହେ ।
ୟେ ତୋର ଚରଣ ରେଣୁ ଲାଗୁ ରାମ ଶିରେ
ଶରଣ ପଶିଲା ରାମ ଏ ତୋର ପୟରେ ହେ ।