ପୃଷ୍ଠା:Prachina Odia Kabita.pdf/୧୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮୬
ପ୍ରାଚୀନ ଓଡ଼ିଆ କବିତା
 

ଏମନ୍ତ ଲକ୍ଷ୍ମଣ କହେ ପର୍ଶୁଙ୍କୁ ଉତ୍ତର
ତାହା ଶୁଣି ପର୍ଶୁରାମ କୋପେ ଗୁରୁତର ହେ ।
ରୋଷେ ଭୃଗୁପତି ବୋଲେ କୋପେ ଥରହର
ଯେତେ କଥା କହୁ ସବୁ କଳିର ବେଭାର ହେ ।
ବୋଲନ୍ତି ଶ୍ରୀରାମ ତୁମ୍ଭେ ଶୁଣ ତପଚାରୀ
ଦୁଷ୍ଟ ଖଣ୍ଟ ପୁଅ ସେ କହିଲା ଗର୍ବ କରି ହେ ।
ବୋଲେ ପର୍ଶୁରାମ ଦୁଷ୍ଟ ଖଣ୍ଟ ପୁଅ ଏହୁ
ଯେତେକ କହଇ ବିଷକଣ୍ଠ ହାଦେ ସେହୁ । ।୨୦୦।
ପର୍ଶୁରାମ ବଚନ ଶୁଣିଣ ଲଇକ୍ଷଣ
କହଇ ବଚନ ତାଙ୍କୁ ଇଷିତ ହାସେଣ ହେ ।
ମୁହିଁ ସେ ଅନନ୍ତ ସର୍ପ ଅଟଇ ଈଶ୍ୱର
ଈଶ୍ୱର ପ୍ରତିଜ୍ଞା କାହିଁ ଗୁରୁର ଆଗର ହେ ।
ଏବେ ମୋତେ ପୂଜାବିଧି କର ମହାଯତି
ବେଭାରେ ତୁମ୍ଭର ଗୁରୁ ମୁହିଁ ପଶୁପତି ହେ ।
କୋପେ ପର୍ଶୁରାମ ଚାହେଁ ଅରୁଣ ନୟନ
ପ୍ରଚଣ୍ଡ ମୂରତି ଶ୍ୱାସ ଛାଡ଼େ ଘନ ଘନ ହେ ।
ମୋର ଧନୁଶର ଯେବେ ଆମଞ୍ଚି ପାରିବୁ
ତେବେ ତୁମ୍ଭ ବଳବୀର୍ଯ୍ୟ ସମସ୍ତ ଜାଣିବୁ ହେ । ।୨୧୦।
ଏତେ ବୋଲି ଶ୍ରୀରାମଙ୍କୁ ବଢ଼ାଇ ଦେଲେ ବେଗ
ଭୁଜ ବଢ଼ାବନ୍ତି ରାମ ଦରହାସ ଭାବ ହେ ।
ବଇଷ୍ଣବ ଧନୁ ରାମ ଧରିଣ ଶ୍ରୀକରେ
କୋଳେ ଅଛି ସୀତା ସ୍ୱୟଂ ଲକ୍ଷ୍ମୀ ଅବତାର ହେ ।
ହାନ୍ଦୋଳାରେ ବସି ରାମ ପାଦେକ ବଢ଼ାଇ
ନଖର ଉପରେ ଧନୁହୁଳ ସେ ବସାଇ ହେ ।
ବାମ କରେ ଶରାସନ ଧରି ରଘୁପତି
ଆମଞ୍ଚିଣ କର୍ଣ୍ଣ ପରିଯନ୍ତେ ଓଟାରନ୍ତି ହେ ।
କରଯୋଡ଼ି ପର୍ଶୁରାମ ପାଏ ପଡ଼ି ଶୋଇ
ଜଗ ଜ୍ୟୋତି ଗୋଟି ତାର ଦେହରେ ସମ୍ଭାଇ ହେ । ।୨୨୦।