ପୃଷ୍ଠା:Prachina Odia Kabita.pdf/୧୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୬ଶ ଶତାବ୍ଦୀ

ପଶୁକୁ ଚାହିଁଣ ରାମ ହସି କହେ କଥା
ଅପାର କାଳର ତୋର ଛଡ଼ାଇବା ବ୍ୟଥା ।
ଭାରତୀରୁ ବାଣେକ ପୂରୋଇ ରାମ ସନ୍ଧି
କହ ପର୍ଶୁରାମ କେଉଁ ଠାବକୁହିଁ ବିନ୍ଧି ହେ ।
ଆରତ ହୋଇଣ ପର୍ଶୁ ଶୋଇ ପାଦେ ପଡ଼ି
ସାମବେଦେ କଲା ସ୍ତୁତି ଶିରେ କର ଯୋଡ଼ି ହେ ।
ବୋଲେ ପର୍ଶୁରାମ ରାମ ସ୍ୱର୍ଗକଇ ବିନ୍ଧ
ମୋର ପିତା ଶତ୍ରୁଗତ ପାପ ଏବେ ରୁନ୍ଧ ହେ ।
ଶୁଣି ରଘୁନାଥ ବେଗେ ବିନ୍ଧିଲେକ ଶର
ବୋଲନ୍ତି ସ୍ୱର୍ଗ ତୁ ନଯିବୁ ମୁନିବର ହେ । ।୨୩୦।
କ୍ଷତ୍ରିଙ୍କର ବାହୁବଳେ ତପୀଙ୍କର ତପ
ନ ବିଚାରି କିପାଇଁ ଅର୍ଜିଲ ଏଡେ ପାପ ହେ ।
ଏକୋଇଶ ବାର କିଆଁ କ୍ଷତ୍ରିଙ୍କୁ ବଧିଲ
ବ୍ରାହ୍ମଣ ହୋଇଣ ଏତେ ପାପ ଅରଜିଲ ହେ ।
ଶ୍ରୀରାମ ଶ୍ରୀମୁଖ ଚାହିଁ ପର୍ଶୁରାମ ବୋଲି
ପିତୃଭକ୍ତି ଛଳେ ସିନା ରାଜାଙ୍କୁ ବଧିଲି ହେ ।
ବୋଲନ୍ତି ଶ୍ରୀରାମ ତୁମ୍ଭେ ଶୁଣ ଭୃଗୁପତି
ପିତାର ଆଜ୍ଞାରେ ବାରେ ବଧିଲ ଯୁବତୀ ହେ ।
ଏବେ ତୁମ୍ଭେ ଦକ୍ଷିଣ ଜଳଧି ତଟେ ଯାଅ
ଜଗନ୍ନାଥ ଦରଶନେ ମହାପାତକ ଛଡ଼ାଅ ହେ । । ୨୪୦ ।
ରାମ‌ମୁଖୁଁ ଏ ବଚନ ଶୁଣି ପର୍ଶୁଧର
ବିନୟ ଭାବେଣ ସ୍ତୁତି କଲାକ ଅପାର ହେ ।
ଶ୍ରୀରାମଙ୍କୁ ପ୍ରଦକ୍ଷିଣ କରି ଭୃଗୁପତି
କ୍ଷେତ୍ରବର ଶ୍ରୀପୁରୁଷୋତ୍ତମେ ଚଳିଯାନ୍ତି ହେ ।
('ରାମବିଭା', ଦ୍ୱାଦଶ ଛାନ୍ଦରୁ ଗୃହୀତ)