Jump to content

ପୃଷ୍ଠା:Prachina Odia Kabita.pdf/୨୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯୨
ପ୍ରାଚୀନ ଓଡ଼ିଆ କବିତା
 

ଲୁଚିଲା କମଳ ପୁଷ୍ପ ପ୍ରାୟେକ ଦିଶଇ
ଲୀଳା ଲୋଭେ କରିଣ ପଙ୍କରେ କି ଭାଷଇ ।।୨୮।
ବିଷମ କୁସୁମ ଶରେ ବିରହ ଜୀବନ
ବାହୁଡ଼ିଲା ନାହିଁ ସଖୀ ତୋ ତହୁଁ ତା ମନ ।
ବାହାର ହୁଅନ୍ତେ କି ସେ ବିନ୍ଧୁଅଛି ଆଶେ
ବେଦନା ନ ଲାଭ ବାରେ ଯିବ ତା'ର ପାଶେ ।।୨୯।
ଶୁଖିଲା ଡାଳିମ୍ବ ପୁଷ୍ପ ପ୍ରାୟେ ତା' ଅଧର
ଶୁଖିଲ ନାହିଁ ସଖୀର ନୟନରୁ ନୀର ।
ସୁମରି ସୁମରି ସେହୁ ସ୍ୱଭାବେ ମରିବ ।
ଶ୍ରୀଅଙ୍ଗ ଉପରେ ତାର ନିଶ୍ୱାସ ପଡ଼ିବ ।।୩୦।
ସେନେହ ସରାଗେ ସଖୀ ତୋତେ ଦେଲା ଦେହ
ଶିଶିର କିରଣେ ମୋର ସଖୀକି ନ ଦହ ।
ସହଣ ନ ଯାଇ ସଖୀ ସୁକୁମାରୀ ଅତି
ସ୍ୱଭାବେହେଁ ସୋଦର ତା' ଯ‌ହୁଁ ଗୋପୀପତି ।।୩୧।
ସତ ଯେବେ ସଖୀରେ ସଦୟେ ଦେବରାୟେ
ସତ ହୋଇଲେ ତା' ଭଲେ ଚାଲ ଯିବା ଘାଏ ।
ଶୁଣିଣ ସନ୍ତୋଷ ହୋଇ ଉଠିଲେ ଶ୍ରୀପତି
ସହଚରୀ ହସ୍ତ ଧରି ଚାଲିଣ ଯାଆନ୍ତି ।।୩୨।
ହରି ହରିଣ କ୍ଷିପୁରେ ତୁରିତରେ ମିଳି
ହସି କରି ଆଲିଙ୍ଗନ କଲେ ଚନ୍ଦ୍ରାବଳୀ ।
ହୋଇଲେ ଅନଙ୍ଗ ରଙ୍ଗ ସଙ୍ଗ ବେନି ଯହୁଁ
ହରଷେ ତା' କାମଧନୁ କାନ୍ଧେ କଲା ତହୁଁ ।।୩୩।
କ୍ଷୟେ ଗଲା ତାପ କର କ୍ଷମାକଲେ ଦୋଷ
କ୍ଷମାଶୀଳ ପ୍ରଭୁଙ୍କୁ ମୁଁ କହିବଇଁ କିସ ।
ଛଟକ କରି କହଇ ଅରଜୁନ ଦାଶ
ଛଟକେ ହେଲା ମିଳନ ଚଉତିଶା ଶେଷ ।।୩୪।