ପୃଷ୍ଠା:Prachina Odia Kabita.pdf/୨୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯୬
ପ୍ରାଚୀନ ଓଡ଼ିଆ କବିତା
 

ରୋଦନ ଆଉ ନ କର ଗୋ ମାୟେ
କରିବା କୃଷ୍ଣ ଆସିବା ଉପାୟେ ।
ସେ ଦୀନ-ବାନ୍ଧବ |
ବାରତା ପାଇ ଆସିବେ ମାଧବ ।
ଏବେ ଗୋ ସୁନ୍ଦରୀ ଏମନ୍ତ କର
ଦ୍ୱାରକା ଯାଉ ଏକ ଦ୍ୱିଜବର ।
ଗୁପତେ ଲେଖା ଲେଖି ଦେବା ହାଥ
ପଢ଼ି ଆସିବେ ଯଦୁକୁଳନାଥ ।
ସେ ଦୟାସାଗର ।। ୯୦ ।
ଶରଣ ପକ୍ଷପାତ ଚକ୍ରଧର ।
ସଖୀ ବଚନ ଶୁଣିଣ ରୁକ୍ମିଣୀ
ମନେ ବିଚାର କରି କହେ ପୁଣି ।
କହିଲୁ ଯାହା ନୁହଇ ବିଚାର
ମହିମା ଯା'ର ନ ଜାଣେ ଶଙ୍କର ।
ତହିଁକି କେମନ୍ତେ ।
ଲେଖ ଲେଖିଦେବା ଦୁତର ହାଥେ
ନାରଦ ସନକାଦି ସିଦ୍ଧଯତି
ଯୁଗେ ଯୁଗେଣ ଲୟ କରୁଛନ୍ତି ।
ଅଷ୍ଟାଙ୍ଗ ଯୋଗ ସମାଧି ଧାରଣେ
ମହିଁମା ଲେଶ ମାତ୍ର ହିଁ ନ ଜାଣେ । ।୧୦୦।
ତୁ କହୁ ସାହାସ ।
ଦୂତ ଯାଇଁ ତହିଁ କରିବ କିସ ।
ଅନନ୍ତ କୋଟି ବ୍ରହ୍ମାଣ୍ଡ ଠାକୁର
ବ୍ରହ୍ମା ଈଶ୍ବର ଯା'ର ପରିଚାର ।
ବ୍ରହ୍ମାଣ୍ଡ ଯା'ର ଖେଡ଼ଘର ଦେଖ
ତହିଁକି କେମନ୍ତ ଲେଖିବା ଲେଖ ।
ଏମନ୍ତ ଅଜ୍ଞାନ ।
ଚନ୍ଦ୍ରମା ହାଥେ ଧରିବାକୁ ମନ ।