ପୃଷ୍ଠା:Prachina Odia Kabita.pdf/୨୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୨
ପ୍ରାଚୀନ ଓଡ଼ିଆ କବିତା
 

ବେଦୀର ଉପରେ ଯାଇ ବସିଲାକ ବର
ଯାଅ ପୁରୋହିତ ତୁମ୍ଭେ ଗନ୍ଧବାସ କର ।
ହଳଦି-ଚନ୍ଦନ ଦେଇ ଗନ୍ଧବାସ କଲେ
ଅସରଳା ସୁତା ବୀର ମୁକୁଟ ବାନ୍ଧିଲେ ।।୨୫୦।
କନ୍ୟା ଆସୁ ଆସୁ ବୋଲ ଡାକ ପଡ଼ିଗଲା
ଏସନ ସମୟେ ଆସି ଚାର ଜଣାଇଲା ।
ଶୁଣ ଦେବ ମହାରାଜ ମଗଧ-ଈଶ୍ୱର
ଏକା ରଥେ ଚଢ଼ିଣ ଅଇଲେ ଚକ୍ରଧର ।
ପରିବାର ସଙ୍ଗତେ ଗୋଟିଏ କେହି ନାହିଁ
ଏହିଠାରେ କଟକ ଭିତରେ ଛନ୍ତି ରହି |
ସଭାଠାରେ ଯେତେ ନରନାରୀମାନେ ଥିଲେ
ଗୋବିନ୍ଦ ଅଇଲେ ବୋଲି ସମସ୍ତେ ଧାଇଁଲେ ।
ଦେଖିଲେକ ରଥେ ବିଜେ କରିଛନ୍ତି ହରି
ଚାହାନ୍ତି ଯୁବତୀ ଆଖି ନିରିମଳ କରି ।।୨୬୦।
କେ ବୋଲଇ ଭୀଷ୍ମକ ତ ଅଟଇ ଅସାର
ଏହାଙ୍କୁ ଛାଡ଼ିଣ କଲେ ଶିଶୁପାଳ ବର ।
ଆମ୍ଭମାନଙ୍କର ଦେଖି ଜୀବନ ଉଡ଼ିଲା
ପିଅର ହୋଇଣ ହେନ କରମ ତ କଲା ।
କେ ବୋଲଇ ସଖି ଗୋ ଦେଖିଲଟିକି ବର
ବରଣ ହୋଇ ବସିଛି ବେଦୀର ଉପରେ ।
ଏହାଙ୍କ ଚରଣ-ଘଷା ପଥରକୁ ସରି
ନୋହଇ ସେ ଗୋଟାବର ଆଣିଛନ୍ତି ବର ।
ରୁକ୍ମିଣୀ ବରଣମାଳା ତା'ର କଣ୍ଠେ ଦେଇ
କଲେ ତାକୁ ବିଡ଼ମ୍ବଣ ବିହି କାହିଁ ପାଇଁ ।।୨୭୦।
ଚାହିଁବାକୁ କେବେହେଁ ଗୋ ନ ରୁଚଇ ଆଖି
କପିଗଳେ ଯେସନେ ଚମ୍ପକମାଳା ଦେଖି ।
ଜନମହୁଁ ଅନ୍ଧ କି ଅଟଇ ତା'ର ଭାଇ
ସ୍ୱୟମ୍ବର ଦିନ କି ଏହାଙ୍କୁ ଦେଖି ନାହିଁ ।