ପୃଷ୍ଠା:Prachina Odia Kabita.pdf/୨୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୦୫
 

ଚରଣ ଧୋଇଣ ତହିଁ ଆଚୋବନ ସାରି
ପତିବ୍ରତା ବ୍ରାହ୍ମଣୀମାନଙ୍କ କର ଧରି ।
ଦେଉଳ ଭିତରେ ଯାଇଁ ପଶିଲେ ରୁକ୍ମିଣୀ
ସାଷ୍ଟାଙ୍ଗେ ପାୟେ ପଡ଼ିଣ ସ୍ତୁତି କଲେ ପୁଣି ।
ଜୟ ଜୟ ଦେବୀ ମାଗୋ ଅନାଦି ଶକତି
ଗିରିରାଜ-ନନ୍ଦନୀ ଗଉରି ଭଗବତି ।
ଚଣ୍ଡମୁଣ୍ଡନାଶିନୀ ମହିଷା- ଦର୍ପହାରୀ
ପ୍ରସନ୍ନ ହୋଇବା ମୋତେ ଦେବୀ ଶାକମ୍ବରୀ ।
ତୁମ୍ଭେ ଦେବୀ ଅନାଦି ଅଭୟା ମହାମାୟେ
ଶିଶୁପାଳ ମୁଖୁଁ ମୋତେ କର ଗୋ ଅଭୟେ । ।୩୪୦।
ଏମନ୍ତ ପ୍ରକାରେଣ ଅନେକ ସ୍ତୁତି କଲେ
ଚନ୍ଦନ ଲେପିଣ ଗଳେ ପୁଷ୍ପମାଳା ଦେଲେ ।
ଧୂପଦୀପ ଗନ୍ଧ ପୁଷ୍ପ ନଇବିଦ୍ୟ ଦେଇ
କାମନା କଲାକ ବାଳୀ କୃଷ୍ଣ ପାଇବଇଁ ।
ଏମନ୍ତେଣ ପ୍ରସନ୍ନ ହୋଇଲେ ମହାମାୟେ
ପାଇବ କୃଷ୍ଣଙ୍କୁ ଏଥେ ନାହିଁ ଗୋ ସଂଶୟେ ।
ପୁଣି ପାଦତଳେ ପଡ଼ି ଉଠିଣ ରୁକ୍ମିଣୀ
ବାହୁଡ଼ିବା ବେଳକୁ ମଙ୍ଗଳ କଲେ ପୁଣି ।
ସଧୀରେ ସଧୀରେ ବାଳୀ ପହଣ୍ଡ ମଣାଇ
କମଳ-ନୟନ ରୂପ ମନେ ଅଛି ଧ୍ୟାୟି । ।୩୫୦।
ଘନ ଘନ ଫୁରଇ ତା' ବାମ ବାହୁ ଆଖି
ଦେଉଳରୁ ବାହାର ହୋଇଲେ ଚନ୍ଦ୍ରମୁଖୀ ।
କୃଷ୍ଣଙ୍କୁ ନ ଦେଖି ତା'ର ଦେହେ ଗ୍ୟାନ ନାହିଁ
ବଦନ ତୋଳିଣ ବାଳୀ ଦେଲେକ ଅନାଇ ।
ଦେଖିଲେକ ଅଭିନବ ମଦନସୁନ୍ଦର
ନୟନେ ନୟନେ ଭେଟ ପଡ଼ିଲା ତାହାର ।
ଅତିବେଗେ ରଥରୁ ଓହ୍ଲାଇ ଯଦୁସାଇଁ
ରୁକ୍ମିଣୀର କର କରେ ଧଇଲେକ ଯାଇଁ ।