ପୃଷ୍ଠା:Prachina Odia Kabita.pdf/୨୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତଅପୋଇ କଥା
ଗୋପୀନାଥ ଦାସ

ଏଥି ଉତ୍ତାରେ ଶକ୍ରାବତୀ । ସଖିଙ୍କି ବଚନ ବୋଲନ୍ତି ।
କହଇ ଓଷା ବିଧି କଥା । ପୂର୍ବହୁଁ ଯେମନ୍ତ ବ୍ୟବସ୍ଥା ।
ବଧୂ ବଚନେ କରି ଦୟା । କହନ୍ତି ବାସୁଦେବ ପ୍ରିୟା ।
ସମସ୍ତେ ଶାନ୍ତି କରି ମନ । ଶୁଣ ଏ ଓଷାର ବିଧାନ ।
ପ୍ରଥମେ ଜମ୍ବୁ ଦୀପ ସାର । ବେଢ଼ିଛି ଲବଣ ସାଗର ।
ସିଂହଳ ଦ୍ୱୀପେ ରତ୍ନାକର । ବେଢ଼ିଛି ମଣ୍ଡଳ ଆକାର ।
ଦଧି ସମୁଦ୍ର ରସ ଦ୍ୱୀପେ । ଲବଣ ସମୁଦ୍ର ସମୀପେ ।
କ୍ଷୀର ସମୁଦ୍ର ରମ୍ୟକରେ । ବେଢ଼ିଛି ମେରୁ ପାରୁଶରେ ।
ରତ୍ନଦୀପରେ ସିନ୍ଧୁ ଶୁଣ । ବେଢ଼ିଛି ଯୋଜନକେ ପୁଣ ।
ଦ୍ୱୀପଙ୍କ ମଧ୍ୟେ ଏ ସାଗର । ବେଢ଼ିଛି ଚାରୁ ପାରୁଶର । ୧୦ ।
ଗିରି କି କେତେକ ଅନ୍ତର । ଅଛଇ ଏକ ଦ୍ୱୀପାନ୍ତର ।
ତହିଁରେ ରାଜା ତିଳଧ୍ୱଜ । ବହୁତ ଆୟତନ ରାଜ୍ୟ ।
ସମସ୍ତ ବିଦ୍ୟାରେ କୁଶଳ । ଧର୍ମେ ଆଶ୍ରିତ ମହୀପାଳ ।
ଭରିଜାମାନେ ପୁତ୍ରବତୀ । ନିଯୋଗୀମାନେ ଖଟିଥାନ୍ତି ।
ସଭାରେ ମିଛ ତା'ନ ପାଇଁ । ରାଜ୍ୟକୁ ଶତ୍ରୁ ନ ଆସଇ ।
ପରଜା ପାଳେ ପୁତ୍ର ଜାଣି । ଗୁହାରୀ ଶୁଣେ ତତକ୍ଷଣି ।
ମନ୍ତ୍ରୀର ନାମ ଗୁଣନିଧି । ପୁତ୍ରର ନାମ ତା' ସୁବୁଦ୍ଧି ।
ସେ ନଗ୍ର ବଡ ଶୋଭାବନ । ଅଳକା ପୁରକୁ ସମାନ ।
ବହୁର ସାଧବ ଅଛନ୍ତି । ବୋଇତ ବଣିଜ କରନ୍ତି ।
ସେହି ବଣିଜ ପରସାଦେ । ଜିଣିଲେ କୁବେରକୁ ବାଦେ । ୨୦ ।
ପୋଇଲି ପିନ୍ଧେ ପାଟଶାଢ଼ୀ । ଆବର ହସ୍ତେ ସୁନାଚୂଡ଼ି ।
ସାଧବମାନଙ୍କର ନାରୀ । ଶରୀରେ ସୁବର୍ଣ୍ଣ ଆବୋରି ।
ଗୁରୁ ହୋଇବ ବୋଲି ଅଙ୍ଗ । ଅଳଙ୍କାରକୁ ମଣେ ଖଙ୍ଗ ।
ସ୍ଫଟିକ ପିଢ଼ା ସବୁ ଘରେ । ପାବଚ୍ଛମାନ ସ୍ଫଟିକରେ ।
ପ୍ରବାଳ ସ୍ତମ୍ଭେ ସୁନାବେଣୀ । ଉପରେ ସୁବର୍ଣ୍ଣ ଛାଉଣୀ ।
ସୁବର୍ଣ୍ଣ କଳସ ପୀଢ଼ାରେ । ପତାକା ଉଡ଼ଇ ସଧୀରେ ।
ତହିଁରେ ଏକ ସାଧୁଘର । ତନୟବନ୍ତ ନାମ ତା'ର ।