ପୃଷ୍ଠା:Prachina Odia Kabita.pdf/୨୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୮
ପ୍ରାଚୀନ ଓଡ଼ିଆ କବିତା
 

ପତ୍ନୀର ନାମ ଶକୁନ୍ତଳା । ଜନମ କଲ ସାତବଳା ।
ଏକଇ ଝିଅ ତଅପୋଇ । ସବୁହୁଁ ସୁନ୍ଦର ଅଟଇ ।
ସାଧବ ବଡ଼େ ଧନେଶ୍ୱର । ବୋଇତ ସାତ ଖଣ୍ଡ ତାର । ୩୦ ।
ସାତ ପୁଅରେ ସାତ ବୋହୂ । ସମସ୍ତେ ସୁନ୍ଦର ସବୁହୁଁ ।
ଚାଲନ୍ତି ସୁନାରେ ରୂପାରେ । ଶୁଅନ୍ତି ଖଟ ପଲଙ୍କରେ ।
ଏକଇ ଦିନେ ତଆପୋଇ । ଖେଳିଣ ଗଲା ସଙ୍ଗ ପାଇ ।
ମନ୍ତ୍ରୀଙ୍କ ଝିଅ ସଙ୍ଗେ ମିତ । ଆବର ଅନେକ ସଙ୍ଗାତ ।
ଖେଳଇ ଘେନି ସଙ୍ଗାତକୁ । ବରଷ ପାଞ୍ଚ ସିନା ତାକୁ ।
ଖେଳନ୍ତି ଧୂଳିଘର କରି । ଭାତ ତିଅଣ କରି ଧୂଳି ।
ଏକ ବ୍ରାହ୍ମଣୀ ରାଣ୍ଡୀ ଆସି । ଝିଅଙ୍କ ଖେଳ ମଧ୍ୟେ ପଶି ।
ବୋଲଇ ତଅପୋଇ ମାଏ । ବାପ-ମାଆଙ୍କ ଏକ ଝିଅ ।
ସାତ ଭାଇଙ୍କଠାରୁ ସାନ । ବାପ-ମାଆଙ୍କର ଜୀବନ ।
କରିଛୁ ବାଉଁଶ କୁଲାଇ । ଘେନିଣ ବାଉଁଶ ଟୋକାଇ । ୪୦ ।
ତୋ’ ପରି ହୋଇଥିଲେ ମୁହିଁ । କରନ୍ତି ସୁବର୍ଣ୍ଣ କୁଲାଇ ।
ବାପ-ମାଆଙ୍କୁ କରି ଦ୍ୱନ୍ଦ । ଗଢ଼ନ୍ତି ସୁବର୍ଣ୍ଣର ଚାନ୍ଦ ।
ତୁ ହାଦେ ହୋଇଅଛୁ ଯାହା । ତୋତେ କି ନ ମିଳିବ ତାହା ।
ଦେଖ ଏ ମନ୍ତ୍ରୀ ଜେମାଦେଈ । ଘେନିଛି ସୁନାର କୁଲାଇ ।
ଏଠାରେ ସାଧବଙ୍କ ବାଳୀ । ତୁମ୍ଭର ଘରୁ କେତେ ବଳି ।
ଖେଳନ୍ତି ସୁନା କୁଲେଇରେ । ବାଉଁଶ କୁଲାଇ ତୋ କରେ ।
ଏମନ୍ତ କହି ରାଣ୍ଡୀ ଗଲା । ପ୍ରତିମିରୀ ବେଶ ହୋଇଲା ।
ଖେଳ ଭାଙ୍ଗିଣ ସର୍ବବାଳୀ । ନିଜ ମନ୍ଦିରେ ଗଲେ ଚଳି ।
ବିରଷେ ତଅପୋଇ ଗଲା । ଗମ୍ବିରୀ ଭିତରେ ଶୋଇଲା ।
କବାଟ କିଳି ମୁଖ ମାଡ଼ି । ଶୋଇଲା ରତ୍ନଖଟ ପାଡ଼ି । ୫୦ ।
ସମସ୍ତେ ଭୂଞ୍ଜିଣ ବସିଲେ । ଝିଅଙ୍କୁ ବାପା ସଙ୍ଖୋଳିଲେ ।
ମାୟେ ବୋଲିଲେ ଆସି ନାହିଁ । ଏତେ ରାତିରେ ଥିବ କାହିଁ ।
କହଇ ସାନବୋହୂ ଚାହିଁ । ଅଛଇ ଗମ୍ଭିରୀରେ ଶୋଇ ।
ସାଧବ ଫେଡ଼ିଲା କବାଟ । ବସିଲା ଯାଇ ରତ୍ନଖଟ ।
ବୋଇଲେ କାହିଁପାଇଁ ମାୟେ । ଶୋଇଛୁ ରୁଷିଲା ପରାୟେ ।
ଗଢ଼ାଇ ଦେବି ଭାଜିଥିଲେ । ଖୋଜାଇ ଦେବି ହଜିଥିଲେ ।