ପୃଷ୍ଠା:Prachina Odia Kabita.pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧୦
ପ୍ରାଚୀନ ଓଡ଼ିଆ କବିତା
 

ଭୋଜନ ଦେବ ବେଳ ଜାଣି । ହସି କହିବ ଚାଟୁବାଣୀ ।
ପ୍ରଭାତେ କରାଇବ ସ୍ନାନ । ପିନ୍ଧାଇ ସୁଝୀନ ବସନ ।
ଅମୃତ ଭୋଜନ କରାଇ । ପଲଙ୍କେ ଶୁଆଇବା ନେଇ ।
ଥୋକାଏ ବେଳ ଗଲେ ପୁଣି । ମୁଖ ପଖାଳି ବାସି ପାଣି ।
ସ୍ୱାଦୁ ପଦାର୍ଥ ଉପଚାର । ନେଇଣ ଦେବ ତ‌ତପର । ୯୦ ।
ବେଶ ବସନ କରାଇବ । ଦୋଳିରେ ନେଇ ପଞ୍ଚାଇବ ।
ଏମନ୍ତ ସର୍ବ ନିତିମାନ । ସେବିଣ ଥିବ ପ୍ରତିଦିନ ।
କୁଙ୍କୁମ ଚନ୍ଦନ ଲେପିବ । କେବେହେଁ ହେଳା ନ କରିବ ।
ଶୁଣି ବୋଲନ୍ତି ସାତ ଯାଏ । ଝିଅଙ୍କୁ ନାହିଁ କିଛି ଭୟେ ।
ନିରତେ ସେବା କରିଥିବୁ । କ୍ଷଣେ ହେଁ ହେଳା ନ କରିବୁଁ ।
ତୁମ୍ଭଙ୍କୁ ଦେଖିବାରୁ କିନା । ହେଳା କରିଣ ଥାଉ ସିନା ।
ଯେବେ ଯାଉଛ ବଣିଜର । ଆଣିଥିବଟି ଅଳଙ୍କାର ।
କେ ବୋଲେ ହୀରାର ବସଣି । ମୋହର ପାଇଁ ଥିବ ଆଣି ।
କେ ବୋଲେ ମୋର ରତ୍ନ‌ଚୁଡ଼ି । ଅଷ୍ଟ ରତନେ ଥିବ ଜଡ଼ି ।
କେ ବୋଲେ ସୁବର୍ଣ୍ଣ କଙ୍କଣ । ଆଣିବ ମୋର ନିମନ୍ତେଣ ।୧୦୦।
କେ ବୋଲେ ମୋର ରତ୍ନବଳା । ଚଉକଣ୍ଠିରେ ଥିବ ନୀଳା ।
ମଧ୍ୟରେ ବସିଥିବ ହୀରା । ଦୁରକୁ ଦିଶୁଥିବ ତୋରା ।
କେ ବୋଲେ ଗଜମୋତିମାଳା । ମିଶିଣ ଥିବଟି ପୋହଳା ।
କେ ବୋଲେ ସୁନାକଣ୍ଠିମାଳ । କେ ବୋଲେ ଆଣିବ କୁଣ୍ଡଳ ।
କେ ବୋଲେ ହୀରା ମଲ୍ଲୀକଢ଼ । କେ ବୋଲେ ବାହା ତାଡ଼ ଯୋଡ଼ ।
ଏମନ୍ତ ମାଗିଲେ ତରୁଣୀ । ଯେ ଯାହା ମନ ଇଚ୍ଛା ଜାଣି ।
ଭାଇଙ୍କି କହେ ତଅପୋଈ । ମୋ ପାଇଁ ଆଣିବ କଣ୍ଡେଇ ।
ଏମନ୍ତ ଶୁଣି ଭାଇ ସାତ । ବୋଇଲେ ଆଣିବୁ ସମସ୍ତ ।
ସକଳ ଦ୍ରବ୍ୟେ ପ୍ରଭୃ ତୁମ୍ଭେ । ବାହାର ଲୋକ ସିନା ଆମ୍ଭେ ।
ଏମନ୍ତ କହି ସାତ ଭାଇ । ଜଳେ ବୋଇତ ଗଲେ ବାହି । ୧୧୦ ।
('ଖୂଦୁରୁକୁଣୀ ଓଷା କଥା'ରୁ ଗୃହୀତ )