ପୃଷ୍ଠା:Prachina Odia Kabita.pdf/୨୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋପୀ ଚନ୍ଦନ
ଚାନ୍ଦ ଦାସ
(୧)
(ରାଗ-ଚୋଖି)


ୟେସନ ସମୟେ ଗୋପ- ନବରେ ସକଳ ଗୋପୀ,
କୃଷ୍ଣର ବାରତା ୟେକେ ଆରେକ ପୁଚ୍ଛନ୍ତି ।
କେ ବୋଲେ ମଧୁସୂଦନ ଦ୍ୱାରକା କଲେ ଗମନ,
କେ ବୋଲେ ମଥୁରା କଟକରେ ଅଛନ୍ତି ।
କେହୁ ବୋଲେ ଅବଧି କହ ?
ଅବଧି ନ ଜାଣି ଥିର ନୋହୋଇ ଦେହ । । ୧ ।
ନିଶ୍ଚୟ ଜାଣିଲେ ଗୋଈ ଦ୍ୱାରକା ଗଲେ ମାଧୋଇ,
ୟେମନ୍ତ ଜାଣି ଅଧିକ ଖେଦ ବଢ଼ିଲା ।
ସନିଧେ ଥିବାର କାଳେ ଦର୍ଶନ ନ ଦେଲେ ବେଳେ,
ୟେବେ ଆମ୍ଭ ଦରଶନ ଆଶ ଛିଡ଼ିଲା ।
ସଜନୀ ଗୋ କରିବା କିସ ?
କାହାକୁ ଭେଟିବା କେହୁ କହିବ ସନ୍ଦେଶ । । ୨ ।
ସନ୍ଦେଶ ପତ୍ରିକା ଲିହି ପନ୍ଥ ଅନୁସରି ରହି,
ପଛକୁ ଦେଖିଲେ ଲେଖ ଦେଇ କହିବା ।
ୟେସନ ସମୟେ ତହିଁ ଗଗନେ ରେଣୁ ଉଡ଼ଇ,
ଦୁରୁଂ ଦେଖିଲେକ ୟେକ ରଥ ଆସିବା ।
ରଥ ଦେଖି ଗୋପୀ ହରଷ,
କମଳ ବନେ କି ରବି ହୋୟେ ପ୍ରକାଶ । । ୩ ।
କେ ବୋଲେ ଅବା ମାଧବ କେ ବୋଲେ ଅବା ଉଧବ,
କେ ବୋଲେ ଆମ୍ଭର ସୁତ୍ରିତ ଫଳ ଫଳିଲା ।
କେ ବୋଲେ ଅବା ୟେଥକୁ ଆସୁଛି ନେବ ଆମ୍ଭଙ୍କୁ,
ଅସ୍ତୁ ହେଉ ବୋଲି ଗୋପି ଏକ ବୋଇଲା ।
ସତ କି ହୋଇବ ୟେ କଥା,
ସତେ ହେ ସରିବ ଆମ୍ଭ ବିକ୍ଷେଦ ବଥା । । ୪ ।