ପୃଷ୍ଠା:Prachina Odia Kabita.pdf/୨୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହସ୍ୟ ମଞ୍ଜରୀ


ଦେବଦୁର୍ଲଭ ଦାସ


( ୧ )
(ରାଗ-ମହ୍ଲାର)
ଚରଣ ଅରୁଣ ରାଜେ,
(ତହିଁ) କନକ ନୂପୁର ସାଜେ,
କଟି କଙ୍କିଣୀ-ଘଣ୍ଟି ଠଣରଣ କଙ୍କଣ ଝଙ୍କ ବାଜେ ।
(ଗୋ) ସଖୀ ତୁ ଯାଉ କିନା,
କନାଇ ପାଶକୁ ଯାଉ କି ନା,
ରତନ ବସନ ହାର କଙ୍କଣ ଯାହା ମାଗୁ ତାହା ନଉ କିନା ।। ୧ ।
ସଜଳ ଜଳଦ କାନ୍ତି,
ନୀଳମଣି ଜିଣି ଭାନ୍ତି,
ଅମଳ କମଳ ମୁଖ ମଞ୍ଜୁଳ ଅଳିକି ଅଳକାପନ୍ତି,
ଗୋ ଦୁତି ତୁ ଯାଉ କି ନା । ।୨।
ଅରୁଣ ଅଧର ରାଜେ,
ମୁରଲୀ ମଧୁର ବାଜେ,
ନାସେ ମୋତିବର ଗଗନେ କି ଶୁକ୍ର ଅଧର ପରେ ବିରାଜେ,
ଗୋ ସଖୀ ତୁ ଯାଉ କି ନା । ।୩।
ଭାଲେ ଚନ୍ଦନର ବିନ୍ଦୁ,
(ଗୋ) ନିବିଡ଼ ଜଳଦେ ଇନ୍ଦୁ,
ମଣ୍ଡିତ କୁଣ୍ଡଳ ଗଣ୍ଡ ମଣ୍ଡଳ ଚଣ୍ଡ କିରଣ ନିନ୍ଦୁ,
ଗୋ ଦୁତୀ ତୁ ଯାଉ କିନା । ।୪।
କୁଟିଳ କୁନ୍ତଳ ଚୂଳେ,
ରଞ୍ଜିତ ବିବିଧ ଫୁଲେ,
ବାୟେଂ ଝଲମଲ ମୟୁର ପୁଚ୍ଛ ମତ୍ତ ମଧୁକର ଭୂଲେ
ଗୋ ସଖୀ ତୁ ଯାଉ କିନା । ।୫।