ପୃଷ୍ଠା:Prachina Odia Kabita.pdf/୨୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩୨
ପ୍ରାଚୀନ ଓଡ଼ିଆ କବିତା
 

(୨)
(ରାଗ-କରୁଣା ଭାଟିଆରି)
ମହା ଗ୍ରୀଷମ ଋତୁ ବୈଶାଖର ଶେଷ,
ବହିଲା ଝଞ୍ଜା ପବନ କୃଶାନୁ ବତାଶ ।
ପାଚିଲେ ଆମ୍ବ ପଣସ ତାତିଲେ ସଲିଳ,
ଜଳିଲା ଶରୀର ମୋ ଟଳିଲା କଳେବର ।
ମୁଁ ଗୋ ମଲି ମଲି ମଲି,
କାନ୍ତ ମୋ ଉପେକ୍ଷି ଗଲେ କେଉଁ ଦୋଷ କଲି ।
ଗମ୍ଭୀର ଘରରେ ଗୋ ଗ୍ରୀଷମେ ନୋହେ ଶୋଇ,
ଦକ୍ଷିଣ ମେଲା ମନ୍ଦିରେ ପ୍ରଭୁ ସଙ୍ଗେ ରହି ।
କର୍ପୂର ଚନ୍ଦନ ସୁଶୀତଳ ଜଳେ ଗୋଳି,
ସ୍ୱାମୀ ସଙ୍ଗେ ବିବିଧ ବିନୋଦେ ବୋଳାବୋଳି । । ୧୦ ।
ଫୁଟି ତାଳସଜ ପଣା ପଇଡ଼ କଦଳୀ,
କର୍ପୂର ମରିଚ ଖଣ୍ଡ ସିଙ୍ଗଡ଼ା ତାମ୍ମୁଳି ।
ମଣୋହି କରିଣ ସେହୁ ଖୁଆଇଣ ଖାଇ,
ସୁସ୍ଥ ପାଇ ସ୍ୱାମୀ ଭୂଜ ପଞ୍ଜରେଣ ଶୋଇ |
ରିଷଭ ସମ୍ପୂର୍ଣ୍ଣେ ସଖି ଆଷାଢ଼ର ଅନ୍ତେ,
ଶ୍ରାବଣ ପ୍ରବେଶ ଗୋ ଜଳଦ ଋତୁ ହୋନ୍ତେ ।
ଗାଜିଲେ ଗଗନେ ମେହୁ ସାଜିଲେ ବରଷା,
କି ଜାଣି ନିବିଡ଼ ଘୋର ଅନ୍ଧକାର ନିଶା ।
ଘଡ଼ଘଡ଼ି ଉପରେ ପଡ଼ଇ ଚଡ଼ଚଡ଼ି,
ଚଡ଼ଚଡ଼ି ଉପରେ ନିର୍ଘାତ ପଡ଼େ ମାଡ଼ି । ।୨୦।
ବିଜୁଳି ଝମକେ ଗୋ ଚମକି ଉଠେ ହିୟା,
କେସନେ ବଞ୍ଚିବି ମୋର କୋଳେ ନାହିଁ ନାହା ।
କମଳିନୀ ବିଙ୍ଘସିଲେ, ଅବନୀ ଉଲ୍ଲସି,
ମାତିଲେ ମଣ୍ଡୁକେ ଯେ ଡାହୁକ ଡାକେ ମିଶି ।