ପୃଷ୍ଠା:Prachina Odia Kabita.pdf/୨୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୩୩
 

ନଦୀ ଯୋଡ଼ ବଢ଼ିଲେ, ଜଡ଼ିଲେ ସୁନାଗରୀ,
ସୁବେଶ ଯୁବତୀ କାନ୍ତ ପଥ ଅନୁସରି ।
ପ୍ରବାସୀ ପୁରୁଷମାନେ ସର୍ବ କାର୍ଯ୍ୟ ଛାଡ଼ି,
ଘରକୁ ଅଇଲେ ପ୍ରିୟା ଗୁଣ ମନେ ପଡ଼ି ।
ଏକମାତ୍ର ମୋର କାନ୍ତ ନଇଲେ ମୋ ପାଶ,
ନିଚୟେ ଜାଣିଲି ମୋର ତେଜିଲେ ମୁହାଁସ । ।୩୦।
ଭାଦ୍ରବର ଅନ୍ତେ ସଖୀ ଆସିଣ ପଶନ୍ତେ,
ପ୍ରବେଶ ଶରଦ ଋତୁ ପ୍ରତେଜ ଆଦିତ୍ୟେ ।
ଗଗନୁ ଝଡ଼ିଲା ହିମ, ମହୀଫଣୀ ପଶେ,
ବରଷା ବଞ୍ଚାଇ ମେଘ ନାନା ବର୍ଣ୍ଣ ଦିଶେ ।
ଉତ୍ତରୁ ଅଇଲା ଶୀତ ବିକାନ୍ତା କୁମାରୀ,
କାନ୍ତଥିଲା କାମିନୀଙ୍କି ଦୂରୁଁ ଅପସରି ।
ଫୁଟିଲେ କୈରବ କିଆଁ ଚନ୍ଦ୍ରକାନ୍ତି ବଢ଼େ,
ଶ୍ରୋଣେହା ରତି ଆରତେ ଶ୍ରୋଣେହୀ କି ଲୋଡ଼େ ।
କାର୍ତ୍ତିକ ସରନ୍ତେ ସଖି ମଗୁଶିର ଆସେ,
କାକର ପଡ଼ିଲା ହିମ ଋତୁ ପରକାଶେ । ।୪୦।
ଦହିଲା କମଳ ବନ, ବହିଲା ଉତ୍ତରା,
ସୁଥିର ହୋଇଲା ସିନ୍ଧୁ ସଧୀର ଲହରା ।
ମରୁଆ ହସିଲା, କୁନ୍ଦ ଦେଖିଣ ବିକାଶ,
ଗାଇଲେ ଗାଆନ୍ତା ଗୀତ ଗୁଣ୍ଡ କେରୀ ରସ ।
ତୁଟିଗଲେ ନଦୀ ସର୍ବ, ଫିଟିଗଲେ ବାଟ,
ଦିନ ଆସି ପାହିଗଲା କାନ୍ତ ନାହିଁ ଭେଟ ।
ସିଂହଡ଼ା କେସର ସଖି ଗୁଆ ଘୃତେ ପୋଇ,
କପୂର ମରିଚ ମେଲି ମିଠା ଦୁଧେ ମୋହି ।
ସାରିଆ ଖଣ୍ଡ ମିଶାଇ ବଟା ଭରି ଥୋଇଁ,
ଶୟନ ପଲଙ୍କେ କାନ୍ତ ଅଧରେ ଯୋଗାଇ । ।୫୦।
ପୁଷର ଅନ୍ତରେ ସଖି ମକର ପ୍ରଖ୍ୟାତ,
ପ୍ରବେଶ ଶିଶିର ଋତୁ ପବିତ୍ର ଜଗତ ।