ପୃଷ୍ଠା:Prachina Odia Kabita.pdf/୨୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩୪
ପ୍ରାଚୀନ ଓଡ଼ିଆ କବିତା
 

ମକର ସ୍ନାହାନ ଜନେ ଧର୍ମ ଅର୍ଥେ କରି,
କୁହୁଡ଼ି ପଡ଼ିଲା ଗୋ ଜାଡ଼ିଲା ବସୁନ୍ଧରୀ ।
ଫୁଟିଲା ମାଧବୀ ଗୋ ତୁଟିଲା କଇଁଫୁଲ,
ଉଠିଲା କଞ୍ଚନ କଢ଼ି କାମ-ତୀର ତୁଲ ।
ଲେଉଟିଲା ଉତ୍ତରା ପବନ ନିଜ ସ୍ଥାନ,
ଉଠିଲା ଲହରୀ ସିନ୍ଧୁ ଅନନ୍ତରେ ଫେନ ।
କାକଗର୍ଭ ଦେଖି ସଖି ହୋଇଲି ଚକିତ,
ଏତେବେଳେ ନ ଭେଟିଲି ଗଉରୀ-ବାର ତ । ।୬୦।
କୁରୁବେଲି ଚଉଁରିଲେ ଅତି ଉଗ୍ର ଗନ୍ଧ,
ଚୁତର ବକୁଳ ଦେଖି କୋକିଳ ଆନନ୍ଦ ।
ମକର ସରନ୍ତେ ସଖି ଫଗୁଣର ଅନ୍ତେ,
ଅଇଲା ବସନ୍ତ ଋତୁ ଅନଙ୍ଗ ସଙ୍ଗତେ ।
ବହିଲାକ ମଳୟ ପବନ ଗନ୍ଧ ତୁଲେ,
ପଲ୍ଲବିଲେ ତରୁଲତା ଫୁଟିଗଲେ ଫୁଲେ ।
ଚାଚେରୀ ଗହଳ ସଖୀ ଗୋବିନ୍ଦଙ୍କ ଦୋଳ,
ସର୍ବ ସୁଖ ଘେନିଗଲେ ମଦନଗୋପାଳ ।
କହୁଁ କହୁଁ ଚୂତ ବୃକ୍ଷେ ଧରିଗଲେ କସି,
କୋକିଳ କ୍ରୀଡ଼ାରେ ଚୂତ ଡାଳେ ଡାଳେ ବସି । ।୭୦।
ଚଳିତ ମାସରେ ରାଧା ମାଧବ ସୁମରି,
ବୃନ୍ଦାବନେ ପଶିଣ ଲୋଡ଼ଇ ଅନୁସରି ।
ଦେଖଇ ପଲ୍ଲବ ଲତା ତରୁ ଫଳ ଫୁଲେ,
ଦେବ କହେ ସଖୀ କର ଧରି ଧରି ବୁଲେ ।

(୩)
( ରାଗ-କଲ୍ୟାଣ ଆହାରୀ )
ନବକିଶୋର କିଶୋରୀ ପ୍ରାଣନାଥ
ବିମ୍ବାଧରେ ବଂଶୀ ଚାପିଲେ,