ପୃଷ୍ଠା:Prachina Odia Kabita.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଳସା ଚଉତିଶା

ବଚ୍ଛା ଦାସ

କ‌ହନ୍ତି କାମିନୀ ଶୁଣ ହେମନ୍ତଦୁଲଣି,
କାହୁଁ ବରେ ବରିଲେ ତୁମ୍ଭର ପିତାମଣି ।
କୁଳ ମୂଳ ଗୋତ୍ର ଆଦି ନାହିଁ ଜାଣ ତା'ର
କନ‌କ ବେଦୀରେ ବୁଢ଼ା ବସିଛି ମଧ୍ୟର ।୧।

ଖୁଂ ଖୁଂ ଖାସ ସାହାସେଣ ପେଲୁଅଛି ଧଇଁ
ଖର ନିଶ୍ୱାସ ବୁଢ଼ାର ମାଥ ଲାଗେ ଭୂଇଁ ।
ଖଣ୍ତିଆ ଯୋଗୀର ସଙ୍ଗେ ନାହିଁ ଯାନ ତା'ର
ଖଣ୍ତିଆ ବଳଦ ବୁଢ଼ା ବାନ୍ଧିଛି ପାଖର ।୨।

ଗୋଡ଼ ହାତ ଷଣଫୁଲ ଗଳୁଛି ନୟନ
ଗଣ୍ତସ୍ଥଳେ ଲମ୍ବଇ ମୁଦୁରା ଦରଶନ ।
ଗ୍ୟାନଭ୍ରଷ୍ଟ ହୋଇଲାନି ଭେବଳ ତା' ମତି
ଗୁଣ ଲକ୍ଷଣ ବୁଢ଼ାର ନାହିଁ ତ‌ଥି ଗତି ।୩।

ଘର ତା'ର କେବଣ ଦେଶରେ ତ‌ଥ୍ୟ ନାହିଁ
ଘଟାଇଲା ବିହି ଆଣି ଏମନ୍ତ କରାଇ ।
ଘଟ ଘଟ ହୋଇ ନାଳ ବ‌ହଇ ତୁଣ୍ତର ।
ଘନ ଜଟା ଲୋଚାଏକ ବାନ୍ଧିଛି ମୁଣ୍ତର ।୪।

ନ ଚିହ୍ନଇ ମନୁଷ୍ୟ ସେ ନ ଦେଖେ ନୟନ
ନିକଟେ ଦେଖିଲେ ନ ଶୁଣେ ତା' ବେନି କର୍ଣ୍ଣ ।
ନ‌ଖ ମୁଖ ଚକ୍ଷୁ ସ୍ଥାନ ପଶିଲା ଭିତର
ନୂଆ ଖଣି ଖଣା ପ୍ରାୟେ ଦିଶୁଛି ଉଦର ।୫।

ଚର୍ମେକ ମାଡ଼ିଣ ବୁଢ଼ା ବସିଛି ମଧ୍ୟେଣ
ଚଉପାଶ ବେଢ଼ିଛନ୍ତି ଦେବତା ବ୍ରାହ୍ମଣ ।
ଚକେରା ବୁଢ଼ାକୁ ଦେଖି ଚକିତ ହୋଇଲୁ
ଚିନ୍ତାସାଗରରେ ସଖି ନିଶ୍ଚୟେ ବୁଡ଼ିଲୁ ।୬।