ପୃଷ୍ଠା:Prachina Odia Kabita.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


( ୧ )
(ରାଗ-କେଦାର, ଚକ୍ରକେଳୀ ବାଣୀ)
ୟେଥୁ ଅନନ୍ତରେ ଶୁଣ ସୁରସ
ଆସି ବରଷା ହୋଇଲା ପ୍ରବେଶ ।
ମେଘ ଗଗନମଣ୍ଡଳ ଘୋଡ଼ାଇ
ସବୁ ଦିଗେ ପୂରିଣ ଆଣ୍ଟେ ରହି ।
ଘନ ଘନ କରି ଦେଲା ଗର୍ଜନ
କାହିଁ ଲୁଚିବୁ ଆରେ ଆଜ ଦିନ ।
ନିଶା ଆନନ୍ଦ ହୋଇଣ ବିହର
ଆଜ ଦିବସ କରିବି ତୋହର ।
ଝଟଝଟ ବିଦ୍ୟୁଲ୍ଲତା ମାରଇ
ଚକ୍ଷୁ ପିଛଡ଼ା ପ୍ରାୟେ ନ ଦିଶଇ । ।୧୦।
ଲୁଚାଇଲା ଉଦରେ ଗିରିବର
ମହୀ ଛୁଇଁଲା ଆସି ନୀରଧାର ।
ଯେହୁ ଗିଳି ଦେଉଛି ଗିରିବର
ସେ କି ରଖିବ ବିଯୋଗୀ ନିକର ।
କଳା ବର୍ଣ୍ଣେ କାଳ ପରା ଦିଶିଲା
ବିରହିଣୀ ପାସକୁ ଆକ୍ରୋଷିଲା ।
ନିଶି ଦିବସ ବରଷଇ ନୀର
ଜଳ କ୍ଷଣେ ନ ଛାଡ଼େ ଗିରିବର ।
ଦିଶେ ଦିଶେ କେତକୀ ବିକାଶିଲେ
ଗିରିଶ୍ୟାମା ନାମ ଦେଖି ହସିଲେ । ।୨୦।
ଫୁଟି ଲୋଟେ କୂଟଜ ଶାଖୀ ଶାଖ
ଫିଟିଗଲେ ମାଳତୀ କଢ଼ି ମୁଖ ।
ରଙ୍ଗ କଦଳୀ ରଙ୍ଗ ଯେ ଦିଶିଲା
କାଶ-କୁସୁମ ଶୁକଳେ ହସିଲା ।