ପୃଷ୍ଠା:Prachina Odia Kabita.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪୪
ପ୍ରାଚୀନ ଓଡ଼ିଆ କବିତା
 

ମୋହୋ ପରାଣ ପ୍ରାୟେଣ ମରାଳ
ହୋଇ ଅଛନ୍ତି ଯିବା ଅନୁକୂଳ ।
ୟେହୁ ନବୀନ-ଘନମାନ ଚାହିଁ
ସୁଖ ପାଉ ଯେ ଥାଇ ଚାନ୍ଦମୁହିଁ ।
ଘନ ଗର୍ଜ୍ଜନ ଶୁଣିଣ ମିଛେ ହେଁ
ଆସି ପଶଇ ବେଗେ ମୋର ଦେହେ ।
ଶ୍ରଦ୍ଧାରେ ନବଘନକୁ ଅନାଇ
ମୋ ମୁଖରେ ଚୁମ୍ବନ ଦେଉଥାଇ ।
ନବ ଘନେଣ ଝଟକେ ବିଜୁଳି
ମୋ ହୃଦରେ ଝଟକୁ ଥାୟେ ବାଳୀ । ।୯୦।
ଲାଜ ଦିନେ ଛାଡ଼ିଲା ଯେ ସୁନ୍ଦରୀ
ଘନ ଗରଜନ ସହି ନ ପାରି ।
ମୋର କର୍ଣ୍ଣେ ଚୁମ୍ବ ଦିଅ ବୋଇଲା
ତନୁ ଚମକାଇ କୋଳେ ଧଇଲା ।
କେକୀରବ ଶୁଣିଣ ଦିନେ ବାଳୀ
କର୍ଣ୍ଣେ ବୁଜିଲା ଯେ ବେନି ଅଙ୍ଗୁଳି ।
ଗୋରା ଦେହରେ ଟାଙ୍କୋରିଲା ରୋମ
ନିନ୍ଦେ କନକ କଦମ୍ବ କୁସୁମ ।
ମନ୍ଦେ ବୁଜିଲା ଯେ ମୃଗଲୋଚନ
ପାଖେ ଥାନ୍ତେ ମାଇଲାକ ମଦନ । ।୧୦୦।
ୟେବେ ନ ମାରି କରି ଦହୁଅଛୁ
ଯତନେହିଂ ୟେତେ ଦୁଃଖ ଦେଉଛୁ ।
ମାରିବାରହିଁ ନୁହଁଇ ଉଚିତ
ବାଳୀ ଟେକିଥିବ ଯେ ମୋରେ ଚିତ୍ତ ।
ତାକୁ ଦେଖିବା ଆଶ ଅଛି ଯେଣୁ
ପ୍ରାଣ ଥୋକାୟେ ଦିନ ଥାଉ ତେଣୁ ।
ମର୍ତ୍ତ୍ୟେ ୟେ ଋତୁ ପ୍ରବେଶ ହୋଇଛି
ୟେଣୁ ଜାଣୁଥିବ ତ କମଳାକ୍ଷୀ ।