ପୃଷ୍ଠା:Prachina Odia Kabita.pdf/୨୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୫୦
ପ୍ରାଚୀନ ଓଡ଼ିଆ କବିତା
 

ପୁଲକିତ ଶରୀର ହୋୟେ ପୁଣି ।
ବିହ୍ୱଳ ରତିଖେଡ ମନେ ଗୁଣି
ସ‌ଖି ଗୋ,
ନିଶ୍ଚୟେଂ ମୋର ଯିବ ଜୀବନ
ପଞ୍ଚୁ ଆତ୍ମାକୁ ପଞ୍ଚବଇରି, କାମ
ପିକ ଶଶୀ ଭୃଙ୍ଗ ପବନ । ।୧୭।
କୋମଳ ଅତି ମୋର କଳେବର
ହୃଦୟ ଆଣ୍ଟ ମୋ ବଜ୍ର ଆକାର
ନ ଦେଖି କୁମର ପଦ୍ମବଦନ
ନ ଯାୟେ କମ୍ପାଇଂ ପାପୀ ଜୀବନ ।
ସଖି ଗୋ,
କର୍ମେ ବିହି ଲିହିଲାକ ଯାହା
କ୍ଷଣ କ୍ଷଣେକେ ମୁହିଂ ମୃତ୍ୟୁ ଲଭୁଛି
କେ ଆନ କରିବ ଆଉ ତାହା । ।୧୮।
ବିକଳେ ବାଳୀ ବୋଲଇ ବଚନ
ଶୁଣସି ମୋର ସଖୀଜନମାନ
ବେଗେ ତୁମ୍ଭେ ଯାଇ ଆଣ ହୁତାଶ
ତହିଂ ମୁହିଂ ବେଗେ ଦେବଇ ଝାସ ।
ସଖି ଗୋ,
ନ ଶୋହଇ ରାତ୍ର ଚନ୍ଦ୍ରମା ବିନୁ
ମନର ପୁରୁଷ ଅଭାବ ବିନୁ ଗୋ
ଧିକ ହୋଉ ଯୁବତୀର ତନୁ । ।୧୯।
( ‘ପରିମଳା', ପଞ୍ଚଦଶ ଓ ଏକବିଂଶ ଛାନ୍ଦରୁ ଗୃହୀତ )