ପୃଷ୍ଠା:Prachina Odia Kabita.pdf/୨୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋପ

ନୃସିଂହ ସେଣ

ଯମୁନା ବର୍ଣ୍ଣନା ଗାହା
ସହସ୍ର କିରଣ ସୁତା ଯମ ନୃପ ଯା'ର ଭ୍ରାତା
ହିମ ପୁଣ୍ୟ ନୀର ବହେ ଅତି ଅର୍ଗଳା
ପିତା ଭ୍ରାତା ଭବତାପ ନାଶକରେ ତା'ର ଆପ-
ଇହଲୋକ ପରଲୋକ ସୁଖଦ ଶିଳା ।
କୃଷ୍ଣ ପାଦ ସଙ୍ଗୁକରି କୃଷ୍ଣର ସଦୃଶ ଧରି
କୃଷ୍ଣର ସେ ସମ ହୋଇ ହରେ ଦୁରିତ
ଯା'ର ତ‌ଟେ ନିରନ୍ତର କେଳି କରେ ଦାମୋଦର
ତାହା ହେ କିସ ବର୍ଣ୍ଣିବି ମୁଁ ମୁଢ଼ ଚିତ୍ତ ।
ଯମୁନା ବର୍ଣ୍ଣନା ବୋଲି-
ଯମୁନା ନଦୀ ଅତି ଉତ୍ତମ ଶୀତଳ ପାତଳ ନୀର
ଭିନ୍ନ ଅଞ୍ଚଳ ଯେସନେ ଶୋଭା ଅତିଅନ୍ତ ଗମ୍ଭୀର । ।୧୦।
ମେଦନୀ ରାମା ମେଲି ଅଛି କି କୁଟିଳ କୁନ୍ତଳ ପାଶ
ତରଙ୍ଗ ଭଙ୍ଗେ କୁଞ୍ଚିତ ଦିଶଇ ବିଶେଷେ କୁସୁମପାଶ ।
ଦେହ ମନୋଭବ ସନ୍ତାପ ନାଶଇ ଯେସନେ ନବ କାମେନୀ
ଚନ୍ଦ୍ରକାନ୍ତେ କରି ଶୋଭା ପାଉଅଛି ଯେସନେ ମଧୁ ଯାମେନୀ ।
ଯୁବତୀ ଅଧର ଯେସନ ଜାଣି ଅମୃତ ରସ ବହେ
ତରଙ୍ଗ ଭଙ୍ଗି ଅପାଙ୍ଗ ଯେସନ ସର୍ବଭୂତ ମନ ମୋହେ ।
ପ୍ରମଦା ମନର ନାଭି ଯେସନ ଅତିଅନ୍ତ ଗଭୀର
ସବେଧ ନାଗରଭାବ ଯେସନ ସୂକ୍ଷ୍ମଭାବେ ମନୋହର ।
ନାଗରେ ନାଗରୀ ଯଉବନ ଦେଇ ଯେସନେ ହୃଦୟ ତୋଷେ
ଆରବେଳେ ସେ ଲଉଟଇ ନାହିଁ ଯାହା ମନ ଯହିଂ ରସେ । ୨୦ ।
ନାଗର ସାଗର ସଙ୍ଗ ନିମନ୍ତେ ହୋଇଅଛି ଅଭିସାରୀ
କୋକନଦ ଛଳେ କି ସେ ଯମୁନା ହୃଦରେ ସରାଗଧାରୀ ।
ବିକଚ ପଦ୍ମବଦନ ତା'ର ଯହିଁ ଇନ୍ଦିବର ଲୋଚନ
ମୃଣାଳ ବାହୁଲତା ସେ ଜାଣି ଚାରୁ ପୁଳିନ ଜଘନ ।