ପୃଷ୍ଠା:Prachina Odia Kabita.pdf/୨୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭ଶ ଶତାବ୍ଦୀ
୨୫୩
 

ପତ୍ରାବଳୀ କରି ଶୋଭା ପାଉଅଛି ଉତ୍ତଙ୍ଗ ବିସ୍ତାର ତରୁ
ଉରଜ ଗୁଣ ସବୁ ଧରିଅଛି ଫଳ କଠିନ ତା ଗରୁ ।
ଗଛକୁ ଗଛ ଲାଗିଅଛି ସେ କେବଳ ଦିଶଇ ସନ୍ଧି
ନିତମ୍ବ ବତୀ ଉର ଯେସନ ହରଇ ସକଳ ବୁଦ୍ଧି ।
ତରୁ ଉପରେ ଲତା ଲାଗିଅଛି ହରୁଅଛି ସର୍ବ ଚିତ୍ତ
ନାୟକ ଉପରେ ନାୟିକା ଶୋଭା ଯେହ୍ନେ ବିପରୀତ ରତ ।
ସକଳ ଋତୁରେ ଚିତ୍ତକୁ ହରଇ ଜନମୃହୁ ସୁଖକାରୀ
ସବୁକାଳେ ଯେହ୍ନେ ଆଲିଙ୍ଗନେ ତୋଷ ସୁବୋଧ ଚତୁରୀ ନାରୀ ।
ଋଷି ଦ୍ୱିଜଗଣେ ମଣ୍ଡିତ ବିପିନେ ଭାଷନ୍ତି ମଧୁର ବାଣୀ
ଉତ୍ତମ କାମେନୀ ଆନନ ଯେସନ କାନନ ତେସନ ଜାଣି । । ୬୦।
ମୟୁରୀମାନେ ନୃତ୍ୟ କରୁଛନ୍ତି ଇଚ୍ଛନ୍ତି ଭୁଜଙ୍ଗ ମନେ
ପୟୋଧରେ କରି ଗରବ ବହନ୍ତି ଯେସନେ ଗଣିକାଜନେ ।
ଯଉବନ ମତ୍ତ ହୋଇ କପୋତ ହୁଁ ହୁଁକାର ବାଣୀ ଘୋଷେ
ସୁରତିକାଳେ କାମିନୀ ଭୋଳେ ଯେସନେ ମନ ଉଲ୍ଲାସେ ।
ଭୃଙ୍ଗ ଝଙ୍କାର ଅତି ଗଭୀର କମ୍ପଇ ହୃଦୟ ପୁଣି
ମାନିନୀ ପ୍ରିୟା ରୁତ କିବା ଶବଦ ତେସନ ପରାୟେ ମଣି ।
ଶୀତଳ ସୁଗନ୍ଧ ପବନ ବହଇ ପୁଲକ କରଇ ଦେହ
ରତିକାଳେ ଯେହ୍ନେ କାମିନୀ ତନୁ ଜାତ କରାବଇ ମୋହ ।
ଏସନ ବନେ ବସନ୍ତ କାଳେ ଆପଣେ ମଦନରାଜ
ସକଳ ଭୂତ ମୋହିବ ବୋଲି ଫୁଲଶର ଘେନି ସଜ । ।୭୦।
କିଞ୍ଚିତ ଦିବସ ଶେଷ ସେ ଅଛି ରବି ପଶ୍ଚିମକୁ ଖସେ
ପରାଗେ ପୂରିତ ସକଳ ଦିଶଇ ଉପରାଗେ ଯେହ୍ନେ ଦିସେ ।
ପୂର୍ବ ପଶ୍ଚିମେ ଚନ୍ଦ୍ର ସୂର୍ଯ୍ୟ ଦିଶନ୍ତି ଅତି ମଞ୍ଜୁଳ
ଦୁହେଁ କର ଧରି ବିଚିତ୍ର ଅମ୍ବର କରୁଛନ୍ତି କିୟେ ମୂଲ ।
ଅଶ୍ୱିନୀପତି ଅମ୍ବର ଘେନି ନିଶାକୁ ଦେଲାକ ତୋଷେ
ଦିନକର ତନ୍ତୀ ହୋଇ ବିକି ସେ ଗଲା ଚନ୍ଦ୍ରରଜନୀର ରସେ ।
ଦର ବିଦଳିତ କୁସୁମକୁନ୍ଦ ରସ ପୂରି ନାହିଁ ତୁଲେ
ଲୋଭେ ଭ୍ରମର ପୁଣି ପୁଣି ଦେଖଇ ଭ୍ରମଇ ଅତି ଆକୁଳେ ।