ପୃଷ୍ଠା:Prachina Odia Kabita.pdf/୨୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାଚୀନ ଓଡ଼ିଆ କବିତା

ସୁରଙ୍ଗୀ ପଲାଶ କୁସୁମ ଦେଖି ମତ୍ତ ଭରେ ଭୃଙ୍ଗୀ ବସେ
ରସ ନ ପାଇ ତେଜିଲା ତାହା ଦୁରେଣ ଝଙ୍କାର ଘୋଷେ ।
ଗୁଆଁରି ନାରୀର ରୂପ ଯଉବନ ଦେଖି ରମଇ ଯେଉଁ ପୁରୁଷ
ଆପଣାଙ୍କୁ ଛି ଛି କରି ସେ ନିନ୍ଦଇ ନ ପାଇ ତାହାର ରସ ।
ନ ଯାଇ ତେଜି ମରମେ ମଜ୍ଜି ରସ ବିରସରେ ଧନ୍ଦି
ବାଳାର ବୟସ ସନ୍ଧିର କାଳେ ଯେସନେ ନାୟକ ବନ୍ଦି ।
ମଧୁରସ ପାନେ ସନ୍ତୋଷ ହୋଇ କେବଣ ଭ୍ରମର ରମଇ
ପରିହାସ ପୂରିତ ଶରୀର ଆହାର ଭ୍ରମଇ ମାତୁଳ ହୋଇ ।
ସକଳ କୁସୁମ ପାଶକୁ ଯାଇ ଖୋଜଇ ତେଜଇ ବେଗେ
ୟେକ ରସେ ଯାର ମନ ପୂରୁଅଛି ଆନ କ ହୃଦରେ ଲାଗେ ।
ନିଜ ପ୍ରିୟ ଜେମା କହଇ ପରକୁ ଯେସନେ ବିଟପ ନାୟକ
ଅଙ୍ଗୀ ସଙ୍ଗୀ ଭଙ୍ଗି ଚିହ୍ନି ସେ ଦେଖାଇ ଆନନ୍ଦେ ଲଭେ ଉତ୍ସକ । । ୯୦ ।
ଦିନ ଶେଷ ଦେଖି ଚକ୍ରବାକ ରାମା ରମଇ କାନ୍ତାର ମୁଖ
କ୍ଷଣେ କ୍ଷଣେ ପ୍ରେମ ଅଧିକେ ବଢ଼ାଇ ଜାଣି ବିଚ୍ଛେଦର ଦୁଃଖ ।
ପୂର୍ବ ପଶ୍ଚିମ ବେନି ଦିଗେ ତା'ର ନିବେଶି ବେନି ଲୋଚନ
ଜାର ପତି ପାଶେ ଥାଇ ଯୁବତୀ ଉଷାକାଳରେ ଯେସନ ।
କ୍ଷଣେ କ୍ଷଣେ ସେ କମଳ ସଙ୍କୋଚି କୁମୁଦ ବିକାଶେ
ପଦ୍ମସଙ୍ଗ ତେଜି ମତ୍ତ ମଧୁକର କୁମୁଦରେ ଦେଲା ଆଶେ ।
ଏକକୁ ତେଜଇ ଆରକୁ ଭଜଇ ଯେସନ ଗଣିକା ଧବ
ନବ ଯଉବନ ରସକୁ ପାଇ ପାଶୋରେ ପୂରୁବ ଭାବ ।
ପଦ୍ମର ଘୃମିତ ସମୟ ଜାଣି କେବଣ ଭ୍ରମର ମନ
ଆନ କୁସୁମ ରମିବ ବୋଲି ହୋଉଅଛି ଛନଛନ । ।୧୦୦।
ବାର ନାରୀକି ସଙ୍କେତ କରି ଯେସନ ଶାଠ ପୁରୁଷ
ନିଜ ରାମାର ନିଦ ଯିବା ଦେଖି ଲାଭଇ ମନ ହରଷ ।
ଚନ୍ଦ୍ରମା ଉଦୟ ସମୟ ଜାଣି ଚକୋରୀ ମନ ଉଲ୍ଲାସ
ପୂର୍ବ ଦିଗରେ ଆଶା ନିବେଶି ଭାବଇ ଅମୃତରସ ।
ପରବାସୁ ପିହୁ ଆସିବା ଶୁଣି ଯେସନ କାମିନୀ ଜନ
ପଥ ଚାହିଁ ସୁଖ-ଦୁଃଖରେ ଆକୁଳ ଆଶାରେ ଉତ୍ସୁକ ମନ ।