ପୃଷ୍ଠା:Prachina Odia Kabita.pdf/୨୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରତାପ ରାୟ
(୧)
(ରାଗ-ବିଭାସ; ଅଳସୀ ବାଣୀ ବା ଘୋଷି ସମ୍ପାଦି ବାଣୀରେ ଗାଇବ)


ୟେଥୁ ଅନନ୍ତରେ ଶୁଣ ତୁ ଗୋ ଭାବିନି ସୁମତି
ବିକ୍ରମ କେଶରୀ ନୃପତି ଭାରିଯା ସଭ୍ୟବତୀ ।
ଶଶିସେଣା ବାଳୀ ଅଟଇ ଗର୍ଭେ ଜାତ ତାହାର
ସୁନ୍ଦର ସୁଜାଣ ଶିରୋମଣି, ତନୁ ସୁକୁମାର ।
ସର୍ବଗୁଣେ ସେ ବିଚକ୍ଷଣ କ୍ଷିତି ମଧ୍ୟରେ ନାହିଁ
ଛାଡ଼ି ବିଷୟା ନିର୍ମାଣିଲା ବିହି ସୁମନ ଦେଇ ।
ଶରଦ ଚନ୍ଦ୍ରମା ଆନନ, ବେନି ଚକୋର କି ସେ
ଫୁଲ୍ଲାରବିନ୍ଦ ସୁଗନ୍ଧେ କି ଅଳି ଲାଳସେ ବସେ ।
ଭ୍ରୂଲତା କି କାମ କମାଣ, ଶର ଲୋଚନ ବେନି
ତାଟଙ୍କ ଶାଣେ ବସାଇଣ ବିନ୍ଧେ ଅପାଙ୍ଗ ଘେନି । । ୧୦ ।
ମଳୟ-ସମୀର-ମନ୍ଦିର ନାସା ଅଟଇ ତାର
ବସନ୍ତ ଆଣେ ବିଙ୍ଘସିତ ହୋଏ କିଂଶୁକଧର ।
ଘନ କୁଟିଳ ଭୃଙ୍ଗ ନିନ୍ଦେ ତାର ଚାରୁ ଚିକୁର
ଦଳିତ ଅଞ୍ଜନ, ଚିକ୍‌କଣ ମୃଗମନ୍ଦ ସୁନ୍ଦର ।
କୁସୁମେ ସାଜେ ସୁକବରୀ ଭରି ବିରହୀ ମନ
ଫାନ୍ଦେ ବନ୍ଧନ କି କରିଛି ମନସିଜ ରାଜନ ।
କମ୍ବୁରୂପ, ବୀଣା ବିଳାପ, ପିକ ସୁସ୍ୱର ବାଣୀ
ଅମିୟ ମାନ ଠୁଳ କରି ବିହି କଣ୍ଠ ନିର୍ମାଣି ।
ଶୁକ ସନକ ସନାତନ ମୁନି ଶୁଣିଲେ ବାଣୀ
ଯୋଗ ତେଜି ଭୋଗ ଇଚ୍ଛିବେ ମନେ ବାଞ୍ଛା ତରୁଣୀ । ।୨୦।
ବଳେ ବାହୁ ମୃଣାଳ ସାର, ବହେ ମୁକୁର ଜ୍ୟୋତି
କଣୟ ଲତାର ଶିଖରେ କି ବସେ ଭୃଗୁପତି ?
ହେମ କୁନ୍ଦନ ପୀନସ୍ତନ ବେନି ଶଇଳ କି ସେ
ହିମ ମଳୟ ଗିରି ଦୁଇ ଏକ ଠାବରେ ବସେ ।