ପୃଷ୍ଠା:Prachina Odia Kabita.pdf/୨୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବିନ୍ଦଚନ୍ଦ୍ର ଉପାଖ୍ୟାନ
ଯଶୋବନ୍ତ ଦାସ


ପୁତ୍ରକୁହିଁ ଯୋଗୀ କରି ମୁକୁତା ଜନନୀ
ଅସମ୍ଭାଳେ ନୟନରୁ ବହୁଅଛି ପାଣି ।
କିପାଇଁ ଅନ୍ୟାୟ କଥା କଲି ମୁହିଁ ନାରୀ
ଏକାଇର ବଳା ମୋର ହେଲା ତପଚାରୀ ।
ଦଶମାସ ଗୋର୍ଭେ ଧରି ହେଲି ଅପୁତ୍ରିକ
କୁଳ ଭାସିଗଲା ମୋର ହୋଇଲି ନୀରକ୍ଷ ।
ଦଇବ ପୁରୁଷ ଏହା ବିଚାରୁଛି ପୁଣି
ମାତା ପୁତ୍ର ଭିନ୍ନ ଭିନ୍ନ କରାଇଲୁ ଆଣି ।
ବଙ୍ଗରାଜ୍ୟ ସମ୍ପତ୍ତି ମୋ କେ ଭୋଗ କରିବ ।
ମୁହିଁ ସେ ଗୋବିନ୍ଦ ମନ କଲି ଉଦବେଗ । ।୧୦।
ହାଡ଼ପା ବୋଇଲେ ତୁମ୍ଭେ ବିକଳ କିପାଇଁ
ଅନେକ ପ୍ରକାରେ ବୁଦ୍ଧି କହିଲି ମଣାଇ ।
ଆପଣା ଇଚ୍ଛାଏ ପୁତ୍ର ଯୋଗୀ କରାଇଲୁ
ବାଳୁତ ସ୍ୱଭାବେ ମନ କିପାଁ ବଳାଇଲୁ ।
ଏବେ କି ଲୋଡ଼ିଲେ ଆଉ ପାଇ ସେହୁ କଥା
ମିଥ୍ୟାରେ ରୋଦନ କରି ମନ କରୁ ବ୍ୟଥା ।
ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ମାଏ
ସାଧୂତ ମେଲିଣ ପୂର୍ବେ ବୋଇତ ଗୋଟିଏ ।
ସିନ୍ଧୁର ଲହରୀ ଘାତେ ଭାସିଲା ବୋଇତ
କୁଳରେ ତ ଲାଗି ସର୍ବ ଦ୍ରବ୍ୟ ଗଲା ହତ । ।୨୦।
ମୋତେ ସେହିମତ କରି ମୂର୍ଚ୍ଛ ମହାଦେଈ
ସମୁଦ୍ରେ ଭାସିଲା ଭେଳା ଲୋଡ଼ିଲେ କି ପାଇ ।
ତୁମ୍ଭେ ସେ କାରଣ ମୋତେ କଲ ଗର୍ଭଧାରି
ମୋହ କର୍ମବଳେ ମୁଁ ସଂସାରୁ ହେଲି ପାରି ।
କୁମର ବଚନ ମାଏ ଗଲେ ନଗରକୁ
ଗୁରୁ ଆଜ୍ଞା ଦେଇଚନ୍ତି ଗୋବିନ୍ଦଚନ୍ଦ୍ରକୁ ।