ପୃଷ୍ଠା:Prachina Odia Kabita.pdf/୨୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୮୪
ପ୍ରାଚୀନ ଓଡ଼ିଆ କବିତା
 

ନବରକୁ ନ ଯା ବାବୁ ବସ ମଣ୍ଡପର
ଦିନାଚାରି ରହି ଫେରିଯିବା ଦେଶାନ୍ତର ।
କୁମର ବଚନ ମାଏ ନବରକୁ ଚଳି
ମଣ୍ଡପେ ବସିଲା ରାଜା ମୃଗଛାଲ ମାଡ଼ି । ।୩୦।
ଏମନ୍ତ ବଚନେ ଯେ ଶୁଭିଲା ଶଙ୍ଖଧ୍ୱନି
ପିକ ରାବ ଦେଲା ଯହୁଁ ପାହିଲା ରଜନୀ ।
ନଗ୍ର ନରନାରୀ ଯେ ବାହାର ହେଲେ ଘରୁ
ଦେଖିଲେ ବସିଛି ରାଜା ଅନାଇଲେ ଦୂରୁ ।
ସର୍ବାଙ୍ଗେ ବିଭୂତିମୟେ ହୃଦେ ଶୋଭେ କନ୍ଥା
ଦେଖିଣ ଆଶ୍ଚର୍ଯ୍ୟ ଯେ ପାଇଲେ ମହାବ୍ୟଥା ।
ମୁଦୁସୁଲୀଗଣ ଏହା ଦେଖିଲେକ ଯହୁଁ
ଅନ୍ତଃପୁର ପ୍ରଦେଶକୁ ଧାଇଁଗଲେ ତହୁଁ ।
ଯେଉଁଠାରେ ବସିଛନ୍ତି ରୋଦମା ଗୋଦମା
ବାରତା କହନ୍ତି ଯାଇଁ ମୁଦୁସୁଲୀ ବାମା । ।୪୦।
ଶୁଣ ମାଏ ଠାକୁରାଣୀ ଦେଖିଲଇଁ ଯାହା
ଯୋଗିବେଶ ହୋଇଛନ୍ତି ଆମ୍ଭ ପ୍ରାଣନାହା ।
ମଣ୍ଡପରେ ବସିଛନ୍ତି ବିଭୂତି ଭୂଷଣ
କର୍ଣ୍ଣରେ ମୁଦୁରା ହୃଦେ କାଇକନାମାନ ।
ନଗ୍ର ନରନାରୀମାନେ ବେଢ଼ି ଦେଖୁଛନ୍ତି
ହାଡ଼ିପା ଯେ ଉଚ୍ଚାଟିଲା ଏମନ୍ତ ବୋଲନ୍ତି ।
ରୋଦମା ଗୋଦମା ବେନି ସପତଣୀ ଶୁଣି
ଆତ୍ମା ବିସର୍ଜିଲା କି ବାଳୁତ ମତି ଜାଣି ।
ମୂଳରୁ ଛେଦିଲେ ଯେହ୍ନେ ତରୁ ତଳେ ପଡ଼େ
କେଶବାସ ଅସମ୍ଭାଳ ହୃଦୟ ଆକୁଳେ । ।୫୦।
ଘଡ଼ିକେ ଚେତନା ପାଇ ଉଠିଲେକ ରାଣୀ
ପ୍ରିୟସଖିମାନେ ମୁଖେ ସିଞ୍ଚୁଛନ୍ତି ପାଣି ।
ନବରୁ ବାହାର କେଶ ଅସମ୍ଭାଳ ହୋଇ
ଯେଉଁଠାରେ ବସିଛନ୍ତି ରାଜା ଗୋବିନ୍ଦାଇ ।