ପୃଷ୍ଠା:Prachina Odia Kabita.pdf/୨୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୮୭
 

ରୋଦମା ଗୋଦମାକୁ ଯେ ବୋଲେ ମହୀଧର
କାହିଁକ ଗୋ ରାଣୀ ତୁମ୍ଭେ କରୁଅଛ ଗୋଳ ।
ଦଇବ ପୁରୁଷମାନେ କରନ୍ତି ବିଚ୍ଛେଦ
କେ ଆନ କରିବ ସୂଚିମୁନେ ନାହିଁ ଭେଦ ।
ମଦନ ବାଣକୁ ଯେବେ ନ ପାରିବ ସହି
ଚୋରୀ ରତି କରାଇବ ସପତଣୀ ଦୁଇ ।
ଅତି ହିଁ ଅଜ୍ଞାନ ଯେବେ ହୋଇବାକ ମନ
ଦେଉଳେ ସାଧନ ତୁମ୍ଭେ ହୁଅ ଲୋ ବହନ ।
ହୋଇଲ ନିରାଶ ଯେବେ ଛାଡ଼ିଲଟି ସ୍ନେହ
ଆମ୍ଭଙ୍କୁ ଅନାଇଁ କିପାଁ କରୁଅଛ କୋହ । ।୧୨୦।
ହୋଇବଇଁ ଯୋଗୀ ବେଶ ସାଧିବଇଁ ଯୋଗ
ଆବର କିସ କରିବ ସୁରତିର ଭୋଗ ।
ଶୁଣି ପ୍ରତ୍ୟୁତ୍ତର ଦେଲେ ରୋଦମା ଗୋଦମା
ପୂର୍ବ ଅପରାଧ ଆମ୍ଭ କେ କରିବ କ୍ଷମା ।
ଅହୋ ମହୀପତି ବଢ଼ି କହିବୁଁ ଯେ କେତେ
ମଣ୍ଡପରେ ମଠ କରି ଯୋଗ ସାଧ ନିତ୍ୟେ ।
ସୁବର୍ଣ୍ଣ ଲାଉରେ ଆମ୍ଭେ ମାଗୁଥିବୁ ଭିକ୍ଷା
ଦଳ ବଳ ଲୋକ ଆମ୍ଭେ ଖଟିଥିବୁ ଇଚ୍ଛା ।
ଅଗରୁ ଚନ୍ଦନ ଚୂଆ ଚନ୍ଦନର ସେଣୀ
ଏହା ପରେ କରି ଦେବୁ ଝିଙ୍କର ଛାଏଣି ।।୧୩୦।
ଏକାନ୍ତ ଶୟନେ ନିଦ୍ରା ମାଡ଼ିବ କେମନ୍ତେ
ଗୁପତେ ଖଟାଇ ଭିକ୍ଷା ତୁମ୍ଭର ଅଗ୍ରତେ ।
ଶୁଣ ହୋ ରାଜନ ତୋତେ ସଂକ୍ଷେପି କହିବା
ବଡ଼ ଯୋଗୀ ବୋଲନ୍ତି ଅନାଦି ମହାଦେବା ।
ବିଷ୍ଣୁ ପ୍ରଳୟରେ ଯା’ର ନୋହେ ରୋମେ ଭଙ୍ଗ
ତାହାଙ୍କ ରମଣୀ ଏ ଯେ ପଡ଼ିଥାଇ ଅଙ୍ଗ ।
ଚଉଷଠି ସିଦ୍ଧ ଆଦି ମାନ ଯେ ଗୋରେଖ
ଏମାନେ ହେ ଜାଣନ୍ତି ତାର ଦୁଃଖ ସୁଖ ।