ପୃଷ୍ଠା:Prachina Odia Kabita.pdf/୨୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୮୮
ପ୍ରାଚୀନ ଓଡ଼ିଆ କବିତା
 

ତହୁଁ ନିକି ବଡ଼ ଯୋଗୀ ହୋଇବୁ ରାଜନ
କାଳେ ଏତେ ଯୋଗ ନ ରହିବ ଯୋଗିପଣ । । ୧୪୦ ।
ମଦନରାୟର ବାଣ ନ ପାରୁ ଯେ ସହି
ନ ପୁଣ ହସନ୍ତି ସବୁ ନାକେ ହସ୍ତ ଦେଇ ।
ଦନ୍ତରେ ତୀରଣ ଧରି ମାଗୁଅଛୁଁ ଆଜ
ପ୍ରବୋଧି କହିଲେ କିବା ନ ପାଇବ ଲାଜ ।
ମନକୁ ବୋଧିଲୁ ସୁଖ ଛାଡ଼ିଦେଲୁଁ ଆମ୍ଭେ
ବଳେ ନିକି ସୁଖ ଭୋଗ କରାଇବ ତୁମ୍ଭେ ।
ବୋଇଲେ ଯେ ମଠ ତୋଳି ଦେବୁଁ ପାଟ ନେତେ
ସେମାନେ ବିଷୟ ଚିତ୍ତେ ନ ରୁଚଇ ମୋତେ |
ମଣ୍ଡପ କୋଣରେ ଥିବି ଯେହୁ ମୋର ଇଚ୍ଛା
ତୃପ୍ତି ହୋଇବି ମୁଠାଏ କରିଣ ଯେ ଭିକ୍ଷା । ।୧୫୦ ।
ରୋଦମା ବୋଇଲେ କୋପେ ପ୍ରଜ୍ୱଳିତ ହୋଇ
ଆରେ ରେ ହାଡ଼ିପା ଏଡ଼େ କର୍ମ କଲୁ ତୁହି ।
ତୋହର ମୁଣ୍ଡରେ ବଜ୍ର ପଡ଼ୁରେ ପାମର
ଯମ ତୋତେ ଠାବ ଦେଉ ରୌରବ ନର୍କର ।
ନର୍କ ଆଶ୍ରେ କରି ତୋ ସର୍ବଦା ଯାଉ ଦିନ
ନୁହ ତୁ ମୁକତି ପୃଥ୍ୱୀ ଥିବ ଯେତେ ଦିନ ।
ତୁ ତ ଜନ୍ମ ହୋଇ କରି ଏଡ଼େ ହି ଅଜ୍ଞାନ
ଏଡ଼େ ବଡ଼ ରାଜା ଯେ ହୋଇଲା ଯୋଗିପଣ ।
ରାଜାର କୁମାରୀ ଆମ୍ଭେ ଶତ ସପତଣୀ
ସବୁରି ନିଶ୍ୱାସ ପଡ଼ୁ ତୋହର ମୂର୍ଦ୍ଧନି । ।୧୬୦।
କୁଳଦୀପ ଲିଭାଇ ଅନ୍ଧାର କଲୁ ଘର
ରାଜା ଥାଉଁ ରାଣୀ ରାଣ୍ଡ କଲୁ ତୁ ନିକର ।
ଏତେ ବୋଲି ପାଷାଣ ଉପରେ ଯାଇଁ ପଡ଼ି
ହସ୍ତରୁ କାଢ଼ିଲେ ଶଙ୍ଖା ସ୍ୱର୍ଣ୍ଣ ଖଡ଼ୁ ଚୁଡ଼ି ।
ଧାତିକାରେ ପରିବାରୀ ଧଇଁଲେକ ତୋଳି
କେଶ ବାସ ଅସମ୍ଭାଳ ହୃଦରେ ବିକଳି ।