ପୃଷ୍ଠା:Prachina Odia Kabita.pdf/୨୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୮୯
 

ତୁମ୍ଭେ ଲୋ ପରର ଝିଅ ଆମ୍ଭେ ପର ପୁଅ
ସଂସାର ଆଚାରେ ତୁମ୍ଭ ଆମ୍ଭରଟି ସ୍ନେହ ।
ଛାଡ଼ିଲାର ଭାରିଯା ଯେ ବାପର ବଇରୀ
ଯେତେ ଇଚ୍ଛା ଆମ୍ଭଙ୍କୁ ଲୋ ଦେଇଯାଅ ଗାଳି । । ୧୭୦ ।
ରାଣୀ ବୋଲେ ଅବଧାନେ ଶୁଣିମା ଗୋସାଇଁ
ପୂଜନୀୟ ଜନେ ଗାଳଦେବୁ କିସ ପାଇଁ ।
ଯେବେ ଆମ୍ଭର କର୍ମରେ ଅଛଇ ବିଧବା
ମହୁରା ଗୋଳି ପିଇବା କି ଅର୍ଥେ ଜୀଇବା ।
ନୃପତି ବୋଇଲେ ତୁମ୍ଭେ ଜୀଅ ଅବା ମର
ନୋହିଲେ ନ ମରି ତୁମ୍ଭେ ଭିନ୍ନ ଘର କର ।
ସୁଖମନେ ତୁମ୍ଭଙ୍କୁ ଆମ୍ଭର ଶୋକ ନାହିଁ
ଇଚ୍ଛା ହେଲେ ସମ୍ପଦ ଭଣ୍ଡାର ନିଅ ବହି ।
ହାଡ଼ି ଘରେ ପଶ ଯାଇଁ ଦାଣ୍ଡେ କର ଘର
ଏଠାରୁ ବହନ ଚଳ ନ କର ଚହଳ ।।୧୮୦।
ଆଜଠାରୁ ମଲା ବୋଲି ଲେଖିବ ଆମ୍ଭଙ୍କୁ
ଇଚ୍ଛା ହେଲେ ରହି ସେବା କରିବ ମାତାଙ୍କୁ ।
ଏହା ଶୁଣି ରୋଦନ କରନ୍ତି ଶତେ ବାଳୀ
ସମସ୍ତେ ଯୁବତୀ ଜଣେ ନାହିଁ ମଧ୍ୟ ଭଳି ।
ଚନ୍ଦ୍ରମାକୁ ତାରାଗଣ ଯେହ୍ନେ ବେଢ଼ିଥାନ୍ତି
ସେହି ମତି ଗୋବିନ୍ଦଚନ୍ଦ୍ରକୁ ଶୋଭା ପାନ୍ତି ।

('ଗୋବିନ୍ଦଚନ୍ଦ୍ର ଟୀକା',ରୁ ଗୃହୀତ))