ପୃଷ୍ଠା:Prachina Odia Kabita.pdf/୩୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଜନ
ଯଶୋବନ୍ତ ଦାସ

(୧)
ଗାଈ ଭୁଲା ଭୁଲାଇ ଲୋ,
ନିରତେ ବେଉସା ଖାଇ ।
ଗାଈ ପଛେ ଯେବେ ଗଉଡ ଥାଆନ୍ତା
ବେଉସା ଖାଆନ୍ତା ନାହିଁ ।
ଗାଈର ମହିମା କି ଦେବି ଉପମା
ଗାଈର ଶୂନ୍ୟ ଗୁହାଳ ।
ଗାଈ ପଛେ ପଛେ ପାଞ୍ଚଟି ବାଛୁରୀ
ସବା ଗାଈଟି ଦୁହାଁଳ ।
ଗାଈ ଗୋଳ ଚେରୁ କ୍ଷୀର ଦେଉଅଛି
ନାହିଁ ତାହାର ସୁମାର ।୧୦।
ସେହି କ୍ଷୀରକୁ ତୁ ମନ୍ଥିଲେ ନିଶ୍ଚୟ
ଲବଣୀ ହେବ ବାହାର ।
ସେହି ଲବଣୀକୁ ଅଗ୍ନିରେ ରଖିଲେ
ତହୁଁ ବାହରଇ ଘୃତ
ସେହି ଘୃତକୁ ତୁ ପାନୀୟ କରିଲେ
ଅଙ୍ଗ ହୁଏ ପୁଲକିତ ।
ଏପରି ଗାଈକି ଘରେ ବାନ୍ଧିଅଛୁ
ତୋହର କାହାକୁ ଭୟ
କହେ ଯଶୋବନ୍ତ ସେ ପାଦେ ଶରଣ
ଗାଈକ ନାହିଁ ଉପାୟ । ।୨୦।
(୨)
ଠୁଳ ଶୂନ୍ୟ ନାହିଁ ଯାର ଅନାମରେ ଜ୍ୟୋତି
ପାଦ ପାଣି ନାହିଁ ଯାର ଅନାମରେ ସ୍ଥିତି ।