ପୃଷ୍ଠା:Prachina Odia Kabita.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେଶବ କୋଇଲି
ମାର୍କଣ୍ତ ଦାସ


କୋଇଲି, କେଶବ ଯେ ମଥୁରାକୁ ଗଲା,
କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ, କୋଇଲି ।
କୋଇଲି, ଖଣ୍ତକ୍ଷୀର ଦେବି ମୁଁ କାହାକୁ,
ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
କୋଇଲି, ଗଲା ପୁତ୍ର ବାହୁଡ଼ି ନଇଲା,
ଗ‌ହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ, କୋଇଲି ।
କୋଇଲି, ଘର ମୋର ନ ମଣନ୍ତି ନନ୍ଦ,
ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ, କୋଇଲି ।
କୋଇଲି, ନନ୍ଦ ଦେହ ପାଷାଣେ ଗଢ଼ିଲା,
ନୟନେ କଜ୍ଜଳ ଦେଇ ରଥେ ବସାଇଲା ଲୋ, କୋଇଲି । ।୧୦।
କୋଇଲି, ଚଳୁଥାଇ କଟିସ୍ଥ ମେଖଳୀ,
ଚକିତ ହୋଇଲେ ଶୁଣି ଗୋପ‌ପୁର ବାଳୀ ଲୋ, କୋଇଲି ।
କୋଇଲି, ଛାଟେକ ମୁଁ ମାଇଲି ପୂରୁବେ,
ଛାଡ଼ି ଅବା ଗଲେ କୃଷ୍ଣ ସେହି ପରାଭବେ ଲୋ, କୋଇଲି ।
କୋଇଲି, ଦୂତପଣେ ଅଇଲା ଅକ୍ରୂର,
ଯାତ୍ରା ବୋଲି ଭଣ୍ତିନେଲା ବସାଇ ରଥର ଲୋ, କୋଇଲି ।
କୋଇଲି, ଝୁରୁ ଝୁରୁ ଲୁହ ନ ରହିଲା,
ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା ଲୋ, କୋଇଲି ।
କୋଇଲି, ନିଶାକାଳେ ହରି ମାଗେ ଚାନ୍ଦ,
ନୟନ ଟେକିଣ ତାକୁ ରାଉଥାନ୍ତି ନନ୍ଦ ଲୋ, କୋଇଲି । ।୨୦।
କୋଇଲି, ଟ‌ହ ଟ‌ହ ହସୁଥାନ୍ତି କୋଳେ,
ଟଳଟଳ ହେଉଥାନ୍ତି ଝଲିବାର ବେଳେ ଲୋ, କୋଇଲି ।
କୋଇଲି, ଠଣ ଯେ ସୁନ୍ଦର ବେନି ପୋଏ,
ଠକି ଭଣ୍ତିଗଲେ କୃଷ୍ଣ ନଇଲେ ବେଡ଼ାଏ ଲୋ, କୋଇଲି ।
କୋଇଲି, ଡାକିଲେ ଭାଷଇ ଯେହ୍ନେ ଶାରୀ,
ଡାଳରତ୍ନଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ, କୋଇଲି ।