ପୃଷ୍ଠା:Prachina Odia Kabita.pdf/୩୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବଧୂତ ଉପାଖ୍ୟାନ
ଶିଶୁ ଅନନ୍ତ

ଏବେ ଅବଧୂତ ଜନମ । ତୋ ଆଗେ କହିବା ହୋ ଜାଣ ।
ବାଙ୍କି ଗଡ଼ରେ ଏକ ରାଜା । ସୁଖେ ପାଳଇ ଜନ ପ୍ରଜା ।
ତାହାର ନାମ ଶୁକ ସେନ । ତା କୋଳେ ଏକଇ ନନ୍ଦନ ।
ଏମନ୍ତେ କିଛି ଦିନ ଅନ୍ତେ । ଜାଣି ଓଡ଼ିଶା ନରନାଥେ ।
ବଳେ ବାହିଲା ସେହୁ ପୁର । ମାଇଲା ଶୁକ ନୃପବର ।
ତାହାର ଏକଇ ନନ୍ଦନ । ତା ନାମ ଅଟେ କୃତସେନ ।
ଜୀବନ ବିକଳେ ପଳାଇ । ପଶିଲା ଆନ ରାଜ୍ୟେ ଯାଇ ।
ସେ ରାଜ୍ୟେ ଏକଇ ଗୋପାଳ । ଅନେକ ଧନରତ୍ନ ତାର ।
ତାହାର କୋଳେ ପୁତ୍ର ନାହିଁ । ଅପୁତ୍ରୀ ହୋଇଣ ଅଛଇ ।
ସୁବଳ ନାମ ଅଟେ ତାର । ଦୋହିତା ଏକଇ ତାହାର । ।୧୦।
ଦେଖି ଗୋପାଳ କୃତସେନ । ଆନନ୍ଦ କଲା ତାର ମନ ।
ଚାହିଁଲା କୁମର ବଦନ । ତୁ ଅଟୁ କାହାର ନନ୍ଦନ ।
ଅତି ସୁନ୍ଦର ମନୋହର । ଦେଖିଲା ଦିବ୍ୟ କଳେବର ।
ରୂପକୁ ପଝାନ୍ତର ନାହିଁ । ଦେଖି ଗୋପାଳ ବିଚାରଇ ।
କେବଣ ରାଜାର ନନ୍ଦନ । କାହୁଁ ଅଇଲା ମୋ ଭୁବନ ।
ଏସନେ ପଞ୍ଚ ସମ୍ବତ୍ସର । ଅଟଇ ରାଜାର କୁମର ।
ସ୍ୱଭାବେ ବାଳକ ତା ମତି । ମୁଖ ତା ଚନ୍ଦ୍ର ଜ୍ୟୋତି କାନ୍ତି ।
ଦେଖି ଗୋପାଳ ପଚାରଇ । କହ ହୋ ବାଳୁତ ତନୟୀ ।
କେବଣ ଦେଶରୁ ଅଇଲୁ । କେ ମାତା ପିତା ନ କହିଲୁ ।
କେଣିକି କରୁଛୁ ଗମନ । ପୁଚ୍ଛିଲେ ନ କହୁ ବଚନ । ।୨୦।
ସ୍ୱଭାବେ ବାଳକ ତନୟୀ । ପୁଚ୍ଛିଲେ ବଚନ ନ କହି ।
ଶୁଣିଣ ବାଳକ ବୋଲଇ । ଶୁଣ ହୋ ବାବୁ ମନ ଦେଇ ।
ମୁଁ ଅଟେ ରାଜାର କୁମର । ବିଦେଶୀ ରାଜା କଲା ଜୁର ।
ମୋ ପିତାମାତାକୁ ମାଇଲା । ସେ ରାଜ୍ୟେ ରାଜା ସେହୁ ହେଲା ।
ଜୀବନ ବିକଳରେ ମୁହିଁ । ପଳାଇ ଅଇଲି ବଞ୍ଚାଇ ।
ଯେ ଅବା ରଖିବଇଁ ମୋତେ । ତା ଘରେ ରହିବି ଯୁଗତେ ।