ପୃଷ୍ଠା:Prachina Odia Kabita.pdf/୩୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦୮
ପ୍ରାଚୀନ ଓଡ଼ିଆ କବିତା
 

ତା ଶୁଣି ସୁବଳ ଗୋପାଳ । ଆନନ୍ଦ ହୋଇ କଲା କୋଳ ।
ବୋଲଇ ଆସ ଆମ୍ଭ ଘର । ହୋଇବୁ ଆମ୍ଭର କୁମର ।
ଧର୍ମର ସୁତ ମୋର ହୋଇ । ଦୋହିତା ପ୍ରଦାନ ଦେବଇଁ ।
ଏମନ୍ତ କହିଣ ଗୋପାଳ । କୋଳ କରିଣ ନେଲା ଘର । ।୩୦।
ତାର ଘରଣୀ ପାଶେ ନେଇ । ଗୋପାଳ ଦେଲାକ ତନୟୀ ।
ବୋଲଇ ଶୁଣ ଗୋପାଳୁଣୀ । ଏ ପୁତ୍ର ପାଳ ମନ ଜାଣି ।
ଆମ୍ଭ ଦୁହିତା ବିଭା ଦେବା । ଆମ୍ଭର ଘରେ ଏ ରହିବା ।
ଶୁଣିଣ ମନେଣ ହରଷ । ବଦନ ହରଷେ ପ୍ରକାଶ ।
ପାଳଇ ଅତି ସ୍ନେହଭରେ । ଗୋପାଳ ତାହା ସଙ୍ଗତରେ ।
ଏମନ୍ତେ କେତେ ଦିନ ଗଲା । ଦୋହିତା ବିଭା କରାଇଲା |
ଦୋହିତା ନାମ ସୁକୁମାରୀ । ସେ ସ୍ତିରୀ ଅଟଇ ଦୋଚାରୀ ।
ପତି ଠାବରେ ସ୍ନେହ ନାହିଁ । ବିଟପେ ଦିନ କାଳ ନେଇ ।
ଏମନ୍ତେ ନେଇ ଦିନ କାଳ । ବୃଦ୍ଧ ସେ ହୋଇଲା ଗୋପାଳ ।
ଏମନ୍ତ କେତେ ସ୍ନେହ ତହିଁ । କଷ୍ଟେଣ ଗାବ ସେ ରଖଇ । ୪୦ ।
ଯେବଣ ଆହାର କରଇ । ପତ୍ନୀ ସେ ସୁଖେ ନ ଦିଅଇ ।
ଯେବଣ ଗ୍ରାସ ଦେଇ ପୁଣ । ଅକାଳେ କରଇ ଭୋଜନ ।
ଏମନ୍ତ ଏକ ଦିନ କର | ଅନ୍ନ ଘେନିଣ ପତ୍ନୀ ତାର ।
ଦିନ ଅଛି ଯେ ଦୁଇ ଘଡ଼ି । ଅନ୍ନ ଘେନିଣ ତାର ନାରୀ ।
ଦେଖିଣ ବୋଲଇ ଉତ୍ତର । ତୁ ଅଟୁ ବଡ ଦୁଷ୍ଟ ନର ।
ବେଳ କାଳରେ ଅନ୍ନ ମୋତେ | ନ ଦେଉ ଆଉ କଦାଚିତେ |
ମୋ ପ୍ରାଣ ଯିବାକୁ ଅନାଉ । କି ଗତି ଲଭିବୁ ତୁ ଆଉ ।
ଶୁଣି କୁମାରୀ ପରଜ୍ୱଳି । ପିନ୍ଧିଲା ବସନକୁ ଚିରି ।
ଗଳାରୁ ମାଳି ଛିଣ୍ଡାଇଲା । ନଖ ଘାତରେ ବିଦାରିଲା |
ଭୂମିରେ ହୋଇଲା କଚାଡ଼ି । ଆପଣ ଛାଏଁ ମୁଣ୍ଡ କୋଡ଼ି । ୫୦ ।
ଡାକ ପାଡ଼ିଣ ବେଗେ ଗଲ। । ପିତାମାତାଙ୍କ ଆଗେ ହେଲା ।
କାହୁଁ ଗୋଟାଏ ଆଣି ପୁଣ । ବିଭା ଯେ କଲ ଅକାରଣ ।
ମୋର ଜୀବନ ନେଉଥିଲା । ଦଇବ ମତେ ଗୋ ରଖିଲା ।
ଦେଖ ଗୋ ମୋର କଳେବର । ରୁଧିର ହୋଇଛି ବାହାର ।