ପୃଷ୍ଠା:Prachina Odia Kabita.pdf/୩୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୧୦
ପ୍ରାଚୀନ ଓଡ଼ିଆ କବିତା
 

ଅନେକ କଷ୍ଟ ସାଧ୍ୟ କରି | ପ୍ରସନ୍ନ ହେଲେ ତପଚାରୀ ।
ପ୍ରସନ୍ନ ହୋଇ ଆଜ୍ଞା ଦେଲେ । ଅଷ୍ଟାଙ୍ଗ ଯୋଗ ଭେଦାଇଲେ ।
ଅନହତ ଅକ୍ଷର କହି । ଦୃଷ୍ଟିଗୋଚରେଣ ଦେଖାଇ ।
ଛତ୍ର ଯେ ଚକ୍ର ଭେଦାଇଲେ । ଉପରେ ଗୁରୁ ନାମ ଦେଲେ ।
ସେ ନାମ ଭେଦାଇଣ କହି । ଏ ହେତୁ ସାଧ୍ୟ କର ତୁହି ।
ଏମନ୍ତେ କହି ଗୁରୁ ନେଲେ । ବଟମୂଳରେ ବସାଇଲେ ।
ବୋଇଲେ ବସ ଏହିଠାରେ । ଅମନ ମନ୍ଦିର ଉପରେ ।
ହେତୁ ରଖିଣ ଥିବୁ ତୁହି । ଅବ୍ରହ୍ମ ବ୍ରହ୍ମକୁ ଭେଟାଇ । ୯୦ ।
ସାଧ୍ୟ ହୋଇବ ତୋ ବଚନ । ଲଭିବୁ ନିରାକାର ସ୍ଥାନ ।
ସୂର୍ଯ୍ୟକୁ ଚନ୍ଦ୍ରରେ ଭେଟାଅ । ମନୁ ସଂଶୟ ତୋର ଫେଅ ।
ଜୀବ ପରମ ଏକ କରି । ସାଧିବୁ ଏକ ଏକ କରି ।
ସାଧନା ଦୃଢ଼ କର ତୁହି । ମନକୁ ନିମଗ୍ନେଣ ଥୋଇ ।
ଅମନ ହେତୁ ରଖ ତୁହି । ଦେଖିବୁ କେମନ୍ତ ଦିଶଇ ।
ଯେ ରୂପ ଦେଖିବୁ ନୟନ । ସେହି ଅନାଦି ଭଗବାନ ।
ଅରେଖ ଅବର୍ଣ୍ଣ ଅଟଇ । ଅବର୍ଣ୍ଣ ବର୍ଣ୍ଣ ସେ ନୁହଇ ।
ଦେଖ ସକଳ ଅଛି ପୂରି । ସ୍ଥାବରୁ କୀଟ ଯାଏ ସରି ।
ଦେଖ ହୋ ଦେଖ ତୋ ନୟନେ । କ୍ଷୀରସମୁଦ୍ରେ ଶଶୀ ଯେହ୍ନେ ।
କ୍ଷୀରସମୁଦ୍ର ତୋ ନୟନ । ତହୁଁ ଚନ୍ଦ୍ରମା ଉଦେ ପୁଣ । ୧୦୦ ।
ଉଦେ ହୋଇଣ ଗଗନର । ନିଶ୍ଚଳ ଆସନ ତାହାର ।
ସମସ୍ତ ଶସ୍ୟ ବୀଜ ଘେନି । ଅପର୍ଣ୍ଣା ନାମ ତେଣୁ ଭଣି ।
ସମସ୍ତ ଜୀବଜନ୍ତୁଙ୍କର ।ଏହିଟି ଅଟଇ ଠାକୁର ।
ଦେଖ ସବୁରି ଏକ ପ୍ରାଣ ।କେବେହେଁ ନୁହଇ ଅଭିନ୍ନ ।
ଏବେ କହିବା ଆନ ରୀତି । ସେ ଅବଧୂତ ଜ୍ଞାନ ଖ୍ୟାତି ।
ସେ ଜ୍ଞାନେ ମନ ନିରବଧି । ଦେଇଣ ରଖିବୁ ଅବଧି ।
ଶୁଣ କହିବା ଆନ ରସ ।ଶୁଣିଲେ ପାପ ହେବ ଧ୍ୱଂସ ।
ସେ ଅବଧୂତ ଜ୍ଞାନ ସାର । ଶୁଣିଲୁ ଶ୍ରବଣେ ତୋହର ।
ତେଣୁ ସେ ଅବଧୂତ ନାମ ।ଶୁଣିଲୁ ଜ୍ଞାନର ମରମ ।
ଏବେ ତୁ ଶୁଣ ଦେଇ ମନ । ଯେ କ୍ଷୀରସମୁଦ୍ର ଆସନ । ୧୧୦ ।